
¸
ଇମ୍ଫାଲ: ମଣିଷ କ’ଣ ସତରେ ଏତେ ହିଂସ୍ର ହୋଇପାରେ। ମଣିପୁରରେ ଘଟିଥିବା ଏପରି ଘଟଣା ଆଜି ସାରା ମଣିଷ ସମାଜ ପାଇଁ ପ୍ରଶ୍ନବାଚି ସୃଷ୍ଟି କରିଛି । ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଉଥିବା ଘଟଣା ଏବେ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୁଇ ମହିଳାଙ୍କୁ କେତେକ ଲୋକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେବା ସହ ଖରାପ ଆଚରଣ କରୁଥିବା ଦେଖିବାକୁ ମିଳୁଛି । ଏହା ପରେ ସମଗ୍ର ବିରୋଧୀ ଦଳ ଉତ୍ତେଜିତ ହୋଇ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। ଭିଡିଓ ଟ୍ୱିଟର ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ନକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ଆଇନ ଅନୁସରଣ କରିବାକୁ କୁହାଯାଇଛି । ସରକାର କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ କୌଣସି ବ୍ୟକ୍ତି ଏହି ସମ୍ବନ୍ଧୀୟ ଭିଡିଓ ସେୟାର କରିବା ଉଚିତ ନୁହେଁ । ମଣିପୁର ଏବେ ଜାତିଗତ ହିଂସାରେ ଅତ୍ୟଧିକ ଭାବେ ଶିକାର ହୋଇଛି । କୁକି ଓ ମାଇତେଇ ସମ୍ପ୍ରଦାୟର ଲୋକଙ୍କ ଭିତରେ ହୋଇଥିବା ବିବାଦର ଏ ଏକ ଜଘନ୍ୟ ଦୃଶ୍ୟ। ଖବର ଅନୁଯାୟୀ, ମେ ୪ ତାରିଖର ଏ ଘଟଣା । ଉଭୟ ମହିଳା କୁକି ସମ୍ପ୍ରଦାୟର ହୋଇଥିବାବେଳେ ପୁରୁଷମାନେ ମୈତଇ ସମ୍ପ୍ରଦାୟର।
ଏବେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯାହା ଘଟିଛି, ତାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରି ପାରିବନି । ମହିଳାମାନଙ୍କ କ୍ଷେତ୍ରରେ ଯାହା ଘଟିଛି, କାହାକୁ ଛଡ଼ାଯିବ ନାହିଁ। ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି। ସେ ଆହୁରି କହିଛନ୍ତି ଯେ ଯାହା ଘଟିଲା ମୋତେ ଗଭୀର ଆଘାତ ଦେଇଛି। କୌଣସି ବି ଅଭିଯୁକ୍ତଙ୍କୁ ଖସିପରିବେ ନାହିଁ। ସମସ୍ତଙ୍କୁ ଉଚିତ୍ ଦଣ୍ଡ ମିଳିବ । ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ । ସବୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନଶୃଙ୍ଖଳା ମଜଭୁତ କରିବା ଉଚିତ୍ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ନାରୀଙ୍କ ସମ୍ମାନ ପ୍ରତି ଗୁରୁତ୍ବ ଦିଆ ଯିବା ବୋଲି ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ।