
ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍କୁ ରୋକିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ ହେଁ ଏହା ସଫଳ ହୋଇପାରି ନାହିଁ । ଶେଷରେ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍ ପାସ୍ ହୋଇଛି । ବିଲ୍ ସମର୍ଥନରେ ୧୩୧ ଭୋଟ ହୋଇଥିବା ବେଳେ ବିଲ୍ ବିରୋଧରେ ୧୦୨ଟି ଭୋଟ ହୋଇଛି । ଅଣ ଏନଡିଏ ଦଳର ସମର୍ଥନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧିତ) ବିଲ୍ ୨୦୨୩କୁ ପାରିତ କରିବାକୁ ସକ୍ଷମ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ଥିଲେ ମଧ୍ୟ ଆଜି ଦିଲ୍ଲୀ ବିଲ୍ ବିପକ୍ଷରେ ଭୋଟ ଦେବାକୁ ରାଜ୍ୟସଭାକୁ ଆସିଥିଲେ। ସେ ହ୍ୱିଲ ଚେୟାରରେ ଆସି ଭୋଟ ଦେଇଥିଲେ ହେଁ ଏହା ବିଲ୍କୁ ମାତ ଦେବାକୁ ଯଥେଷ୍ଟ ହୋଇନାହିଁ । ବିଲ୍ ସପକ୍ଷରେ ୧୩୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ କେବଳ ୧୦୨ ଭୋଟ ପଡ଼ିଛି । ଏହାର ଅର୍ଥ ୨୯ ଖଣ୍ଡ ଭୋଟରେ ବିରୋଧୀଙ୍କୁ ମାତ ଦେବାରେ ଏନଡିଏ ସରକାର ସମର୍ଥନ ହୋଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ସର୍ଭିସ ବିଲ୍ ଲୋକସଭାରେ ପାରିତ ହୋଇଥିଲା । କେନ୍ଦ୍ର ସରକାର ପ୍ରବଳ ହଙ୍ଗାମା ଓ ନାରାବାଜୀ ଭିତରେ ଦିଲ୍ଲୀ ବିଲ୍କୁ ଲୋକସଭା ଭଳି ରାଜ୍ୟସଭାରେ ପାରିତ କରିବାରେ ସକ୍ଷମ ହୋଇଛନ୍ତି । ବିତର୍କ ପରେ ବିରୋଧୀ ଦଳଗୁଡ଼ିକ ଏହି ବିଲ୍କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । କିନ୍ତୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ବିରୋଧୀଙ୍କ ସବୁ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଗତକାଲି ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ କଂଗ୍ରେସ ଓ ଆପ୍ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ ନିଜ ହାତକୁ ନେବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି । ସେ ଏହା ମଧ୍ୟ କହିଛନ୍ତି କି ଏହି ବିଲ୍ ଅସାମ୍ବିଧାନିକ । ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍ ଅଣାଯାଇଛି । ବିରୋଧୀଙ୍କ ଏତେ ସବୁ ସ୍ୱର ଉଠେଇବା ପରେ ମଧ୍ୟ ବିଲକୁ ପାରିତ ହେବାରେ ରୋକି ପାରିନାହାନ୍ତି l ଶେଷରେ ଦିଲ୍ଲୀ ବିଲ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି l