
ନୂଆଦିଲ୍ଲୀ: ମଣିପୁରର ହିଂସା ଥମିବାର ନାଁ ନେଉନାହିଁ l ହିଂସାକାଣ୍ଡ କମିବା ତ ଦୂରର କଥା ଏହା ଦିନକୁ ଦିନ ଆହୁରି ତୀବ୍ର ରୂପ ଧାରଣ କରିବାରେ ଲାଗିଛି l ତେଣୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ପରେ ଗତ କିଛି ଦିନ ହେଲା ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଲଗାତାର ଉତ୍ତେଜନା ଲାଗିରହିଛି । ବିରୋଧି ଦଳ ଏନେଇ ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି । ଗତ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଲାଣି ହେଲେ ମଣିପୁର ତାତି ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଛି । ତଥାପି ଏଯାଏଁ ମଣିପୁରରେ ପରିସ୍ଥିତି ସୁଧାରି ହେଉନାହିଁ l ତେଣୁ ଏହି ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ସାଂସଦମାନେ ଗତ ରାତିରେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ମଣିପୁରର ସେ ଛାତିଥରା ଦୃଶ୍ୟ ସବୁ ଦେଖି ମଧ୍ୟ ସରକାର ଏଯାଏଁ ବି ସେସବୁ ହିଂସାକାଣ୍ଡକୁ ରୋକିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି l ଏହା ସତରେ ଭାରତ ପାଇଁ ଏକ ନିନ୍ଦନୀୟ ବିଷୟ ବୋଲି ବିରୋଧୀମାନେ ମତ ରଖିଛନ୍ତିl