ମଝି ଆକାଶରୁ ଫେରିଲା ବିମାନ। ବିମାନଟି ଯାତ୍ରୀମାନଙ୍କୁ ନେଇ ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଉତ୍ତେଜନା ଏତେ ବଢିଯାଇଥିଲା ଯେ, ବିମାନଟି ଦିଲ୍ଲୀ ଫେରିବାକୁ ପଡିଥିଲା। ଏନେଇ ଦିଲ୍ଲୀ ବିମାନବନ୍ଦରରେ ଏୟାରଲାଇନ୍ସ ପୋଲିସ ପାଖେ ଅଭିଯୋଗ ଦାଖଲ କରିଥିଲେ। ଝଗଡା ସୃଷ୍ଟି କରୁଥିବା ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି।
କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନରେ ଜଣେ ଯାତ୍ରୀ ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହାକୁ ବେଶ କିଛି ଦିନ ଏୟାର ଇଣ୍ଡିଆ ବିବାଦରେ ରହିଥିଲା। ସରକାର ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ଯାତ୍ରୀଙ୍କ ଶୃଙ୍ଖଳିତ ବିମାନ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହା ସତ୍ତ୍ୱେ ଅନେକ ସମୟରେ ବିଭିନ୍ନ ବିମାନରେ ଯାତ୍ରୀମାନଙ୍କ ଅଭଦ୍ର ବ୍ୟବହାର ସାମ୍ନାକୁ ଆସିବାରେ ଲାଗିଛି।
ଏହିକ୍ରମରେ ଏବେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ବିଶୃଙ୍ଖଳିତ ବ୍ୟବହାର ସାମ୍ନାକୁ ଆସିଛି। ଏଥିଯୋଗୁ ବିମାନଟି ପୁଣି ଦିଲ୍ଲୀରେ ଅବତରଣ କରିଛି। ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବିମାନ ଲଣ୍ଡନର ହେଥରୋ ବିମାନବନ୍ଦର ଅଭିମୁଖେ ଯାଉଥିଲା। କିନ୍ତୁ ଜଣେ ଯାତ୍ରୀଙ୍କ ଅତ୍ୟନ୍ତ ବିଶୃଙ୍ଖିତ ଆଚରଣ ପାଇଁ ଟେକ ଅପ୍ର କିଛି ସମୟ ପରେ ଏହା ପୁଣି ଦିଲ୍ଲୀକୁ ଫେରି ଆସିଛି।