
ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ଦିଲ୍ଲୀବାସୀ ଜଳ ଯନ୍ତ୍ରଣରେ ଛଟପଟ ହେଉଥିଲେ l କିଛିଦିନ ଶାନ୍ତିରେ ନିଶ୍ୱାସ ମାରିଥିଲେ ଯେ ଦିଲ୍ଲୀବାସୀ ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର । ପୁଣି ଏବେ ବଢିଲା ଦିଲ୍ଲୀବାସୀଙ୍କ ଚିନ୍ତା । ହରିୟାଣା ହାତନିଖୁଣ୍ତ ବ୍ୟାରେଜରୁ ବନ୍ୟା ଜଳ ଛଡା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି । ଆଜି ସକାଳ ୭ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର ରେକର୍ଡ କରାଯାଇଛି । ଏହା ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଛି । ସୂଚନା ଅନୁସାରେ, ହରିୟାଣା ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ ଜଳ ଛଡ଼ା ଯିବାରୁ ଦିଲ୍ଲୀ ପ୍ରତି ବନ୍ୟା ବିପଦ ବଢିଯାଇଛି। ସେପଟେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଗତଥର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ ଦିଲ୍ଲୀର ଅଧିକାଶଂ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲାଲକିଲା, ରାଜଘାଟ, ଏପରିକି ସୁପ୍ରିମକୋର୍ଟ ଗେଟ୍ ଛୁଇଁଥିଲା ଯମୁନା ପାଣି । ଯେଉଁଥି ପାଇଁ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ ସାଧାରଣ ଜନତା । ଏବେ ପୁଣି ଯମୁନା ଜଳସ୍ତର ଫୁଲିବା ପରେ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ପୁଣି ଦିଲ୍ଲୀରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ଲଗାଣ ବର୍ଷା ଯୋଗୁଁ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପ୍ରଦେଶର ୧୫ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ହିମାଚଳରେ ପ୍ରବଳ ବର୍ଷା ଯୋଗୁଁ ହରିୟାଣା ବ୍ୟାରେଜରେ ଜଳ ପ୍ରବେଶ କରିଛି l ଯାହାଦ୍ୱାରା ବ୍ୟାରେଜରେ ଜଳର ପରିମାଣ ବୃଦ୍ଧି ପାଇଛିl ଏବେ ଏଥିପାଇଁ ବ୍ୟାରେଜରୁ ଜଳ ନିଷ୍କାସନ କରାଯାଇ ଦିଲ୍ଲୀରେ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି ।