
ଖରା ବର୍ଷାର ଲୁଚକାଳି ଭିତରେ ୨୩ରେ ଆସୁଛି ପୁଣି ଏକ ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ ୭୦ ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରାଯାଇଛି । ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ତେବେ ସେଥିଯୋଗୁଁ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ଏତେ ବର୍ଷା ସତ୍ବେ ବି ମୌସୁମୀ ସିଜିନରେ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ହେଲେ ଅଗଷ୍ଟ ମାସରେ ରାଜ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି l ୧ ଅଗଷ୍ଟ ରୁ ୨୦ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୨୫୩.୨ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୫୦.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ l ହେଲେ ସେପଟେ ଦକ୍ଷିଣ-ଉପକୂଳରେ ସ୍ଥିତି ଉତ୍କଟ । ଓଡ଼ିଶା ଉପରେ ନାହିଁ କୌଣସି ପାଣିପାଗ ନିୟାମକ । ଫଳରେ ସାରା ରାଜ୍ୟରେ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ହେଉଛି ତ କେଉଁଠି ରାଜ କରୁଛି ଗରମ ଗୁଳୁଗୁଳି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବଦଳିବ ବାୟୁ ଚଳାଚଳର ପ୍ରକ୍ରିୟା । ପ୍ରଭାବରେ ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାରମ୍ବାର ଲଘୁଚାପ ସତ୍ତ୍ବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୮ ପ୍ରତିଶତ ନଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି । କିଛି ସ୍ଥାନରେ ବର୍ଷା ନିଅଣ୍ଟ ଓ ଗୁଳୁଗୁଳି ଯୋଗୁଁ ଚାଷଜମି ରେ ମରୁଡି ପଡିଛି l ତେବେ ଆଗକୁ ଯଦି ବର୍ଷା ନହୁଏ ଚାଷୀମାନେ ଖୁବ ଅସୁବିଧାର ସମ୍ମୁଖୀନ କରିବେ l