
ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ସେନାକୁ ଝଟକା ଦେଇଛନ୍ତି । ସେନା ସହ ଜଡ଼ିତ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ରେ ସାଇନ୍ କରିବାକୁ ମନା କରିଦେଇଛନ୍ତି ପାକ୍ ରାଷ୍ଟ୍ରପତି । ରବିବାର ଦିନ ରାଷ୍ଟ୍ରପତି ଆରିଫ ଅଲଭି, ଅଫିସିଆଲ ଗୋପନୀୟତା (ସଂଶୋଧନ) ବିଧେୟକ ୨୦୨୩ ଏବଂ ସେନା (ସଂଶୋଧନ) ବିଧେୟକ ୨୦୨୩ରେ ସାଇନ କରିବାକୁ ମନା କରିଦେଇଛନ୍ତି । ଏହା ସହ ତାଙ୍କ ଷ୍ଟାଫ ହିଁ ତାଙ୍କୁ ଧୋକା ଦେଇଛନ୍ତି ବୋଲି ସେ ଦାବି କରିଛନ୍ତି । ତେବେ ପାକିସ୍ତାନ ତେହରିକ ଏ ଇନସାଫ (ପିଟିଆଇ)ର ପୂର୍ବତନ ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘନିଷ୍ଠ ଆରିଫ ଅଲଭିଙ୍କ ଏଭଳି ନିଷ୍ପତ୍ତି ସେନା ବିରୋଧରେ ବିଦ୍ରୋହ ବୋଲି କୁହାଯାଉଛି । ପାକିସ୍ତାନର ଏକ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ, ଉପେରାକ୍ତ ଦୁଇଟି ବିଲ୍କୁ ପାକିସ୍ତାନ ନ୍ୟାସନାଲ ଆସମ୍ବଲିରେ ମଞ୍ଜୁରି ମିଳିଥିଲା । ହେଲେ ସିନେଟରେ ଏହାକୁ ବିରୋଧ କରାଯାଇଥିଲା । ପରେ ବିଲ୍ରେ କିଛି ସଂଶୋଧନ କରି ପୁଣି ଥରେ ସିନେଟରେ ଆଗତ ହୋଇସାରିଥିଲା ବିଲ । ସିନେଟରେ ଏହାକୁ ମଞ୍ଜୁରି ମିଳିଯିବା ପରେ ରାଷ୍ଟ୍ରପତିଙ୍କ ଦସ୍ତଖତ ଲାଗି ଏହାକୁ ପଠାଯାଇଥିଲା । ହେଲେ ରାଷ୍ଟ୍ରପତି ଏହା ଉପରେ ଦସ୍ତଖତ କରିନଥିବା ନେଇ ସୂଚନା ମିଳିଛି l ସେପଟେ ବିଲଗୁଡ଼ିକୁ ଫେରାଇ ଦେବା ପାଇଁ ରାଷ୍ଟ୍ରପତି ତାଙ୍କର କର୍ମଚାରୀଙ୍କୁ କହିଥିଲେ । କିନ୍ତୁ ସେମାନେ ଏହାକୁ ନଫେରାଇ ଧୋକା ଦେଇଛନ୍ତି ବୋଲି ଆରିଫ ଅଲଭି ଅଭିଯୋଗ କରିଛନ୍ତି । ସରକାରୀ ଗୋପନୀୟତା ଅଧିନିୟମ (ସଂଶୋଧନ) ବିଧେୟକ ଅନୁସାରେ, କୌଣସି ବ୍ୟକ୍ତି ଦେଶରେ ବିଶୃଙ୍ଖଳା ସୃଷ୍ଟି କଲେ ତାଙ୍କୁ ଦଣ୍ଡିତ କରାଯିବ । ନିଷିଦ୍ଧାଞ୍ଚଳରେ ରାଲି କିମ୍ବା ସଭା ସମିତି କଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ଧରାଯିବ । ଏପରିକି ଦୋଷୀଙ୍କୁ ୩୦ ଦିନ ଭିତରେ ଦଣ୍ଡିତ କରାଇବାକୁ ନିୟମ ହେବ ବୋଲି ବିଧେୟକରେ ଉଲ୍ଲେଖ ରହିଛି । ଆର୍ମି ଆକ୍ଟ (ସଂଶୋଧନ) ବିଧେୟକ ଅନୁସାରେ କୌଣସି ସେନା ଅଧିକାରୀ ଚାକିରି ଛାଡ଼ିବା ପରେ କିମ୍ବା ଇସ୍ତଫା ଦେବା ପରେ ୨ ବର୍ଷ ଯାଏଁ କୌଣସି ରାଜନୈତିକ ଦଳରେ ସାମିଲ ହୋଇପାରିବେ ନାହିଁ । ଏହା ସହ କୌଣସି ସେନା କର୍ମଚାରୀ ସୋସିଆଲ ମିଡିଆରେ ସେନାର ଅପମାନ କଲେ ତାଙ୍କୁ ଦଣ୍ଡିତ କରିବାର ନିୟମ ରହିବ ।