
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଗଷ୍ଟ ୫ ତାରିଖରେ ତୋଷଖାନା ମାମଲାରେ ୩ ବର୍ଷ ପାଇଁ ଶୁଣାଯାଇଥିଲା ଜେଲ ଦଣ୍ଡାଦେଶ । କିନ୍ତୁ ଆଜି ତାଙ୍କୁ ଇସଲାମାବାଦ ହାଇକୋର୍ଟରେ ଜାମିନ୍ ମିଳିଥିଲା । ଏହି ଖବର ଇମ୍ରାନ ଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଟିକେ ଖୁସି ଦେଇଥିବା ବେଳେ କିଛି ମୁହୂର୍ତ୍ତ ରେ ଏହି ଖୁସି ଧୂଳିସାତ ହୋଇଗଲା l କାରଣ ଜାମିନ ମିଳିବା ର କିଛି ମୁହୂର୍ତ୍ତ ପରେ ଏବେ ଆଉ ଏକ ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଇମ୍ରାନ ଖାନ ପାକିସ୍ତାନରେ କ୍ଷମତାରେ ଥିବାବେଳେ ରାଜନୈତିକ ଉଦ୍ଦେଶ୍ୟରେ ଏକ ଗୁପ୍ତ କୂଟନୈତିକ କେବୁଲ ସିଫରର ଅପବ୍ୟବହାର କରିଥିଲେ। ଏହି ମାମଲାରେ ଇମ୍ରାନଙ୍କୁ ଆଜି ଗିରଫ କରାଯାଇଛି ଏବଂ ସେ ଅଗଷ୍ଟ ୩୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ବୋଲି ଆଦେଶ ଦିଅ ଯାଇଛି ।
କିଛି ସମୟ ପୂର୍ବରୁ ଇସଲାମାବାଦ ହାଇକୋର୍ଟ, ସେସନ୍ କୋର୍ଟଙ୍କ ରାୟକୁ ସ୍ଥଗିତ ରଖି ମଙ୍ଗଳବାର ଦିନ ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜାମିନ୍ ପ୍ରଦାନ କରାଯାଇଥିଲା । କିଛି ଦିନ ତଳେ ଇମ୍ରାନଙ୍କୁ ତୋଷଖାନା ମାମଲାରେ ରାୟ ଶୁଣାଇ ସେସନ୍ କୋର୍ଟ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେl ଏହାକୁ ବିରୋଧ କରି ଇମ୍ରାନ ଖାନ ହାଇକୋର୍ଟ ପହଞ୍ଚିବା ପରେ ସୋମବାର ତାଙ୍କ ଆବେଦନକୁ ନେଇ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ହେଲେ ମଙ୍ଗଳବାର ସକାଳେ ତାଙ୍କୁ ଜାମିନ୍ ମିଳିଥିଲା। କିନ୍ତୁ ଜେଲରୁ ବାହାରି ନିଜ ପରିବାର ଲୋକଙ୍କୁ ଭେଟିବା ପାଇଁ ଇମ୍ରାନ ଖାନଙ୍କ ସ୍ବପ୍ନ ସ୍ବପ୍ନ ରେ ରହିଯାଇଛି ।