
ଦିଲ୍ଲୀ: ଆଜି ଗ୍ରେଟର ନୋଏଡା ଠାରେ ଅବସ୍ଥିତ ଗାଲାକ୍ସି ପ୍ଲାଜା ବିଲ୍ଡିଂରେ ଘଟିଛି ଏକ ବଡ଼ ଅଘଟଣ। ହତଥ୍ ନିଆଁ ଲାଗି ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା ଏହି ବିଲ୍ଡିଂରୁ । ଅଗ୍ନିଶମ ବାହିନୀ ଦଳ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ଏଯାଏଁ କେହି ମୃତ୍ୟବରଣ କରିନଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଏହି ଗାଲାକ୍ସି ପ୍ଲାଜାର ତୃତୀୟ ମହଲାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଲୋକମାନେ କିଛି ବୁଝିବା ଆଗରୁ ନିଆଁ ବ୍ୟାପିଯାଇଥିଲା । ଯାହାଦ୍ବାରା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବିଲ୍ଡିଂରେ ଫସି ରହିଥିବା କିଛି ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡ଼ୁଥିବା ଭଳି ଅଭାବନୀୟ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଏପରିକି କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂ ଝରକାରେ ମଧ୍ୟ ଓହଳି ରହିଥିଲେ । ଏହିପରି କିଛି ଦୃଶ୍ୟ ବିଲ୍ଡିଂ ନିକଟରେ ଉପ୍ଥାପିତ ଲୋକମାନଙ୍କ କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି ।
ଏହା ସହିତ ଉପର ମହଲାରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ଝରକାରେ ଝୁଲି ରହିଥିବା କିଛି ଲୋକଙ୍କୁ ବାହାରେ ଥିବା ଲୋକମାନେ ପାଟି କରି ଡେଇଁବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ତଳେ ଥିବା ଲୋକମାନେ ଚଟାଣରେ ଗଦି ପକାଇଥିଲେ । ତଥାପି ତିନି ମହଲାରୁ ଡେଇଁ ଥିବାରୁ ସେମାନେ ଆହତ ହୋଇଛନ୍ତି । ତୁରନ୍ତ ଡାକ୍ତରଖାନା ନିଆଯାଇ ସେମାନଙ୍କୁ ଚିକିତ୍ସା କରାଯାଉଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗିଥିଲା । ବିଲ୍ଡିଂ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା । ବର୍ତ୍ତମାନ ବିସ୍ରାକ ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରାଯାଇଛି ।06:30 PM