
କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ ତାରିରୁ ଆରମ୍ଭ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ ଟିକେଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଟିକେଟ ପାଇଁ ପ୍ରଥମେ ଫ୍ୟାନ୍ସଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ସେମାନେ ଟିକେଟ କିଣି ପାରିବେ । ଅଗଷ୍ଟ ୧୫ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ତେବେ ଆଇସିସି ଦିନିକିଆ ବିଶ୍ବକପ ଟିକେଟ ପାଇଁ ଫ୍ୟାନ୍ସଙ୍କୁ ପ୍ରଥମେ ଆଇସିସିର ୱେବସାଇଟ www.cricketworldcup.com/register ଖୋଲିବାକୁ ପଡିବ । ଏହି ସାଇଟକୁ ଯାଇ ପ୍ରଥମେ ବୁକିଂ କରିବାକୁ ପଡିବ । ରେଜିଷ୍ଟ୍ରେସନ ପାଇଁ ନାମ, ଠିକଣା ଭଳି ସମସ୍ତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବାକୁ ପଡିବ । ରେଜିଷ୍ଟ୍ରେସନ ପରେ ଟିକେଟ ବୁକିଂ ହୋଇଯିବ । ଏହା ପରେ ୨୫ ଅଗଷ୍ଟ ଯାଏଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ । ୨୫ ଅଗଷ୍ଟରୁ ଟିକେଟ ବିକ୍ରି ଆରମ୍ଭ ହେବ । ୩୦ ଅଗଷ୍ଟରୁ ଭାରତୀୟ ଦଳର ମ୍ୟାଚ ପାଇଁ ଟିକେଟ ବିକ୍ରି ହେବ । ଅହମ୍ମଦାବାଦରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ ଟିକେଟ ୩ ସେପ୍ଟେମ୍ବରରେ ମିଳିବ । ସେମିଫାଇନାଲ ଓ ଫାଇନାଲ ଟିକେଟ ସେପ୍ଟେମ୍ବର ୧୫ ରେ କିଣିପାରିବେ ଫ୍ୟାନ୍ସ । ଟିକେଟ ବୁକିଂ କରିବା ପରେ ଫ୍ୟାନ୍ସ ଷ୍ଟାଡିୟମରେ ଏଣ୍ଟ୍ରି କରିବା ପାଇଁ ହାର୍ଡ କପି ନିହାତି ଆବଶ୍ୟକ । ବିଶ୍ବକପ ମ୍ୟାଚ ଖେଳାଯିବାକୁ ଥିବା ସହରରେ ଟିକେଟ କଲେକ୍ସନ କାଉଣ୍ଟର ତିଆରି ହୋଇଛି । ୫ଟି ପର୍ଯ୍ୟାୟରେ ଭାରତୀୟ ଦଳର ମ୍ୟାଚ ଟିକେଟ ପାଇପାରିବେ ଫ୍ୟାନ୍ସ । ସେହିପରି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ମ୍ୟାଚର ଟିକେଟ ୩୧ ଅଗଷ୍ଟରେ ମିଳିବ । ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ ସେପ୍ଟମ୍ଭର ୧ରୁ ପାଇ ପାରିବେ ଫ୍ୟାନ୍ସ । ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷ ମୁକାବିଲା ନେଇ ସେପ୍ଟେମ୍ବର ୨ରୁ ଟିକେଟ ବିକ୍ରି ଆରମ୍ଭ ହେବ । ସବୁଠି ବଡ ମୁକାବିଲା ଅର୍ଥାତ ଭାରତ ଓ ପାକିସ୍ତାନ ମ୍ୟାଚର ଟିକେଟ ସେପ୍ଟେମ୍ବର ୩ ତାରିଖରେ ଫ୍ୟାନ୍ସଙ୍କୁ ମିଳିବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ସେପ୍ଟେମ୍ବର ୧୫ରୁ ଟିକେଟ ବିକ୍ରି ଆରମ୍ଭ ହେବ । ବିଶ୍ବକପ ମ୍ୟାଚର ଟିକେଟ ଦର ଏ ଯାଏଁ ସ୍ଥିର ହୋଇ ନାହିଁ । ଅନ୍ୟ ମ୍ୟାଚ ଟିକେଟ ଦର ତୁଳନାରେ ଭାରତୀୟ କ୍ରିକେଟ ଦଳର ମ୍ୟାଚ ଟିକେଟ ଅଧିକ ରହିବା ନେଇ ଅନୁମାନ କରାଯାଉଛି । ଅକ୍ଟୋବର ୫ରୁ ଆଇସିସି ଦିନିକିଆ ବିଶ୍ବକପ ଆରମ୍ଭ ହେବ । ଅକ୍ଟୋବର ୫ରୁ ନଭେମ୍ବର ୧୯ ଯାଏଁ ବିଶ୍ବକପ ମ୍ୟାଚ ଖେଳାଯିବ । ନଭେମ୍ବର ୧୯ ତାରିଖରେ ଫାଇନାଲ ଖେଳାଯିବ । କ୍ରୀଡାସୂଚୀ ମୁତାବକ ଆୟୋଜକ ଭାରତ ୫ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହା ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୧୪ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ରହିଛି । ମୋଟ ୧୦ଟି ଦଳକୁ ନେଇ ବିଶ୍ବକପ ଖେଳାଯିବ । ମୋଟ ୧୦ଟି ଭେନ୍ୟୁରେ ସମସ୍ତ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ ୧୦ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ତେବେ ଆପଣ ଯଦି ମ୍ୟାଚ ଦେଖିବା ପାଇଁ ଇଛୁକ ଏବେ ଆଇସିସିର ୱେବ୍ସାଇଟକୁ ଯାଇ ରେଜିଷ୍ଟ୍ରେସନ ପ୍ରକ୍ରିୟାଟିକୁ ସମ୍ପୂର୍ଣ କରିପାରିବେ l