
କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଥିଲେ । ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ୍ ତାଳପତ୍ର ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ଥିଲେ । ଅଗଷ୍ଟ ମାସ ୭ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ମୁରଲୀଧର ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣା ପଡିଛି । ସୂଚନା ଅନୁସାରେ, ଜଷ୍ଟିସ ଶୁଭାଶିଷ ତାଳପତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ପାସ୍ କରିଥିଲେ । ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ମଧ୍ୟ ରହି ଆସିଛନ୍ତି । ସେ 2004 ଡିସେମ୍ବର 21 ଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ । 2011 ମସିହା ନଭେମ୍ବର 15 ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ 2022 ଜୁନ୍ 10 ତାରିଖରେ ଦାୟିତ୍ୱ ନେଇଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଓଡ଼ିଶା, କେରଳ, ତେଲେଙ୍ଗାନା ଏବଂ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେଥିରୁ ଜଣ ପଡ଼ିଛି ଯେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବାକୁ ଯାଉଛନ୍ତି ।