
ଭୁବନେଶ୍ୱର: ଭୁଶୁଡି ଯିବନି ତ ଅର୍ଥନୀତି ? ବଢ଼ିଯିବନି ତ ମୁଣ୍ଡପିଛା ଋଣ ? ବିଜେପି ସରକାରର ଘରେ ପଶୁ ପଶୁ ଚାଳ ବାଜିଲାଣି | ଋଣ କରି ପ୍ରତିଶୃତି ପୁରଣ ପାଇଁ ପଣ କଲେଣି | ୨୪ ବର୍ଷରେ ଯେତିକି ଋଣ ଥିଲା, ଆସୁ ଆସୁ ତାର ଅଧା ଋଣ ପାଇଁ ଯୋଜନା କଲେଣି | ଆଗକୁ ଋଣ ବୋଝ କେତେ ବଢିବ, ରାଜ୍ୟର ଅର୍ଥନୀତି କଣ ହେବ ସେ ନେଇ ଚିନ୍ତା ବଢ଼ିଲାଣି |
ପ୍ରଥମ ବଜେଟରେ ମୋହନ ସରକାର ତାଙ୍କର କଥା ରଖିବା ପାଇଁ ଚେଷ୍ଟା କରିଛନ୍ତି | ଋଣ କରି କଥା ରଖିବେ | ଏଥିପାଇଁ ସରକାରଙ୍କୁ ୧୬.୬ ପ୍ରତିଶତ ଅର୍ଥାତ ୪୨ ହଜାର ୪୯୫ କୋଟି ଟଙ୍କା ଋଣ ଆଣିବାକୁ ପଡିବ । ତଥ୍ୟ କହୁଛି, ବିଜେଡି ସରକାର ୨୪ ବର୍ଷରେ କରିଥିଲେ ୭୮ ହଜାର କୋଟି ଋଣ | ଆଉ ଏ ସରକାର ଆସୁ ଆସୁ କରିବେ ୪୨ ହଜାର ୪୯୫ କୋଟି ? ୫ ବର୍ଷ ରହିଲେ ଋଣଭାରରେ ଏ ରାଜ୍ୟକୁ ବୁଡାଇ ଦେବେନି ତ ?
୨୪ ବର୍ଷ ତଳେ ନବୀନ ସରକାର କ୍ଷମତାକୁ ଆସିବା ବେଳେ ରାଜ୍ୟର ଋଣ ଭାର ଥିଲା ୧୮ ହଜାର କୋଟି | ୨୪ ବର୍ଷରେ ଏହା ବଢି ୭୮ ହାଜର କୋଟିରେ ପହଂଚିଛି | ଅର୍ଥାତ ୨୪ ବର୍ଷରେ ୬୦ ହଜାର କୋଟି ଋଣ ଭାର ଲଦିଛନ୍ତି ନବୀନ ସରକାର | କିନ୍ତୁ ଗତ ୩ଟି ଆର୍ଥିକ ବର୍ଷରେ ଋଣ ଆଣିବା ପରିବର୍ତ୍ତେ ଶୁଝିବା ଉପରେ ଗୁରୁତ୍ୱ ଦେଇଥିଲେ ପୂର୍ବତନ ସରକାର |
ସର୍ଭେ ରିପୋର୍ଟ କହୁଛି, ବିଜେପି ଶାସିତ ରାଜ୍ୟମାନଙ୍କରେ ଋଣ ଭାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରହିଛି | ଓଡ଼ିଶାରେ ମଧ୍ୟ ଆସୁ ଆସୁ ବିଜେପି ସରକାର ସେହି ବାଟରେ ଯିବାକୁ ଆରମ୍ଭ କଲାଣି | ଅନ୍ୟପକ୍ଷେ ବିଜେଡି ସରକାର ଋଣ ଶୁଝିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଗତ ୩ ଆର୍ଥିକ ବର୍ଷରେ ରାଜସ୍ବ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଥିଲା |
ଏଠି କହିରଖିବୁ, ସାରା ଦେଶ କରଜରେ ବୁଡିଯିବାକୁ ଯାଉଛି | ୨୦୦୪ରେ ଦେଶର ଋଣ ୧୭ ଲକ୍ଷ କୋଟି ଥିବା ବେଳେ ୨୦୧୩ରେ ୫୦ ଲକ୍ଷ କୋଟିରେ ପହଞ୍ଚିଥିଲା | ୨୦୧୪ରେ ଏନ୍ଡିଏ ସରକାର ଗଠନ କରିବା ସମୟରେ ଋଣ ଭାର ଥିଲା ୫୫ ଲକ୍ଷ କୋଟି | ୨୦୧୩ରେ ଏହା ୧୬୧ ଲକ୍ଷ କୋଟି ଅତିକ୍ରମ କରିଛି |
ଯଦି ଓଡ଼ିଶାରେ ବି ବିଜେପି ସରକାର ବିକାଶ ପାଇଁ ଋଣ ଉପରେ ଗୁରୁତ୍ୱ ଦିଏ ତେବେ ରାଜ୍ୟର ଅର୍ଥନୀତି ଯେ ପୁଣି ୨୫ ବର୍ଷ ତଳକୁ ଚାଲିଯିବ ଏଥିରେ ସନ୍ଦେହ ନାହିଁ |