ଭୁବନେଶ୍ୱର: ହ୍ରାସ ପାଇଲା ନନ୍ଦନକାନନରେ ସିଂହ ସଂଖ୍ୟା l ଆଖି ବୁଜିଲା ୯ ମାସର ଏକ ସିଂହ ଶାବକ । ଗତ କିଛି ଦିନ ହେବ ଅସୁସ୍ଥ ଥିଲା ସିଂହଟି । ଏହା ପରେ ସିଂହ ଶାବକର ମୃତ୍ୟୁ ହୋଇଛି । ୯ ମାସ ତଳେ ସିଂହୀ ବିଜଲୀ ୫ ଟି ସିଂହ ଶାବକକୁ ଜନ୍ମ ଦେଇଥିଲା । ଗତ କିଛି ଦିନ ହେବ ୫ଟି ଯାକ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ଶାବକର ମୃତ୍ୟୁ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଆଜି ଓୟୁଏଟିର ଏକ ଟିମ୍ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି । ଗତ ୨୨ ନଭେମ୍ବର ୨୦୨୨ ରେ ୫ଟି ଶାବକ ଜନ୍ମ ନେଇଥିଲେ । ମାଆର ସେବା ଯତ୍ନରେ ଶାବକ ମାନେ ଧିରେ ଧିରେ ବଡ଼ ହେଉଥିଲେ । କିନ୍ତୁ ଚଳିତ ମାସ ଆରମ୍ଭରୁ ସମସ୍ତ ଶାବକ ହଠାତ୍ ଅସୁସ୍ଥ ହୋଇଥିବାରୁ ସମସ୍ତ ଶାବକଙ୍କର ଚିକିତ୍ସା କରାଯାଉଥିଲା । ଗତ ୧୭ ତାରିଖରେ ଓୟୁଏଟିର ଏକ ଦୁଇ ଜଣିଆ ମେଡିକାଲ ଟିମ୍ ପ୍ରାଣୀ ଉଦ୍ୟାନ ଗ୍ରସ୍ତ କରି ୫ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଏକ ଶାବକର ମୃତ୍ୟୁ ହୋଇଛି । ଏହି ସିଂହ ଶାବକର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ୨୨ କୁ ହ୍ରାସ ପାଇଛି ।
