ଭୁବନେଶ୍ଵର: ୟୁଟ୍ୟୁବର ତପି ମିଶ୍ର-ବନସ୍ମିତା ପତି ବିବାଦ ମାମଲା। ତପି ମିଶ୍ରଙ୍କ ପାଇଁ ଲାଗୁ ହେଲା ଅନ୍ତରୀଣ ଅଙ୍କୁଶ । ବନସ୍ମିତାଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଶିବ ତାଣ୍ଡବ ଲେଖାକୁ ବ୍ୟବହାର କରିପାରିବେନି ତପି ମିଶ୍ର । ହାଇକୋର୍ଟଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କଟକଣା।
କହିରଖୁଛୁ ଯେ, ତପି ମିଶ୍ର ଲେଖିକା ବନସ୍ମିତା ପତିଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରି ସାର୍ବଜନୀନ ଭାବେ ପୋଷ୍ଟ କରିଥିଲେ। ମହା ଶିବରାତ୍ରି ସମୟରେ ତପି ଶିବ ତାଣ୍ଡବ ସ୍ତୋତ୍ର ଗାଇଥିଲେ। ଏହାକୁ ସେ ଲଖିଥିବା ନେଇ ତପି ଦାବି କରିଥିଲେ। ତେବେ ବନସ୍ମିତାଙ୍କ ଲେଖାକୁ ନକଲ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତପି ଏହାକୁ ଖଣ୍ଡନ କରି ଏକ ପ୍ରେସ ମିଟ ମଧ୍ୟ କରିଥିଲେ। କିନ୍ତୁ ଫେସବୁକରେ ଗାଳି କରି ଫସି ଯାଇଥିଲେ ତପି। ଗତ ମାର୍ଚ୍ଚ ୧୭ ତାରିଖରେ ଏହି ପୋଷ୍ଟଟି କରାଯାଇଥିଲା। ବନସ୍ମିତା ଏକ ଫେସ୍ବୁକ୍ ପୋଷ୍ଟରେ ମନ୍ତବ୍ୟ ଦେଇଥିବା ବେଳେ ତପି ତାଙ୍କୁ ଟାର୍ଗେଟ୍ କରି ଆକ୍ଷେପଜନକ ମନ୍ତବ୍ୟ ଦେଇଥିଲେ।
ବନସ୍ମିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ତପି ମିଶ୍ରଙ୍କୁ ଗିରଫ କରି କୋର୍ଟକୁ ପଠାଇଥିଲା। ଗିରଫ ହେବା ସମୟରେ ସେ ଧର୍ମକୁ ରକ୍ଷା କରୁଛନ୍ତି ତେଣୁ ଧର୍ମ ତାଙ୍କର ରକ୍ଷା କରିବ ବୋଲି କହିଥିଲେ ତପି। ଏହା ସହିତ ସେ ଶିବ ତାଣ୍ଡବ ଗାଇ ଥିବାରୁ ତାଙ୍କୁ ଷଡଯନ୍ତ୍ର କରି ଗିରଫ କରାଯାଇଥିବା କହିଥିଲେ ତପି ମିଶ୍ର।