ମୁମ୍ବାଇ: ପିତା-ମାତାଙ୍କ ନାଁରେ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ । ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଶୋ’ରେ ରଣବୀର ଦେଇଥିବା ବୟାନ ଏବେ ସୋସିଆଲ ମିଡିଆର ବେଶ୍ ଭାଇରାଲ ହେଉଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି କେନ୍ଦ୍ର ତାରଫରୁ ମଧ୍ୟ ନୋଟିସ୍ ଆସି ସାରିଲାଣି । ଯାହାକୁ ନେଇ ଏବେ ଆକ୍ସନ ମୋଡକୁ ଆସିଛି ୟୁଟ୍ୟୁବ୍ ।
କେନ୍ଦ୍ରରୁ ନୋଟିସ୍ ପାଇବା ପରେ ରଣବୀରଙ୍କ ବିବାଦୀୟ ବୟାନ ରହିଥିବା ଏପିସୋଡକୁ ହଟାଇ ଦେଇଛି ୟୁଟ୍ୟୁବ୍ । ତେବେ ବିବାଦ ଘନେଇବା ପରେ ସେ ଉକ୍ତ ବୟାନକୁ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିସାରିଲେଣି । ତଥାପି ତାଙ୍କ ପିଛା ଛାଡୁନି ବିବାଦ । ବିବାଦକୁ ନେଇ ମୁମ୍ବାଇ ପୋଲିସ୍ ପଚରାଉଚରା ପାଇଁ ଆଲ୍ଲାବାଦିଆ ଏବଂ ସମୟ ରାଇନାଙ୍କୁ ସମନ ଜାରି କରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଦଳୀୟ ନେତା ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ପରାମର୍ଶଦାତା କଞ୍ଚନ ଗୁପ୍ତା ଟ୍ୱିଟ୍ କରି କହିଛନ୍ତି, ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ରଣବୀର ଆଲ୍ଲାବାଦିଆଙ୍କ ଅଶ୍ଳୀଳ ଏବଂ ବିକୃତ ମନ୍ତବ୍ୟ ସହିତ ୟୁଟ୍ୟୁବ୍ ରେ ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଏପିସୋଡକୁ ମଧ୍ୟ ଅବରୋଧ କରାଯାଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଭିଡିଓକୁ ହଟାଇ ଦିଆଯାଇଛି ।
କହିରଖୁଛୁ ଯେ, ରଣବୀର ଆହ୍ଲାବାଦିଆ ହେଉଛନ୍ତି ଜଣେ ଫେମସ ୟୁଟ୍ୟୁବର । ବିଅର ବାଇସେପ୍ସ ନାମରେ ତାଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ରହିଛି । ଯେଉଁଥିରେ ତାଙ୍କର ପ୍ରାୟ ୧୦.୫ ମିଲିୟନ ଫଲୋଅର୍ସ ରହିଛନ୍ତି । ତେବେ ନିକଟରେ ସମୟ ରାଇନାଙ୍କ ହିଟ ଷ୍ଟାଣ୍ଡ କମେଡି ଶୋ’ରେ ଜଜ୍ ହୋଇ ଯାଇଥିବା ବେଳେ ରଣବୀର ବାପାମାଙ୍କ ସଂପର୍କକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ୟୁଜର୍ସ । ଯାହାକୁ ନେଇ ବିବାଦ ଘନେଇଥିଲା । ଅନେକ ବିବାଦ ପରେ ରଣବୀର ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ ।