
ଭୁବନେଶ୍ଵର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ । ଏଥିସହ ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି ମନ୍ମଥ । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି । ତେବେ ରାଜଧାନୀ ଉପକଣ୍ଠ ଡେରାସ ନିକଟ ଚନ୍ଦକା ନେଚର ରିସର୍ଟରେ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ତାଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ରିସର୍ଟ ଭିତରେ ଫଟୋ ଉଠା ଉପରେ କଟକଣା ଲାଗିଥିଲା । ଅଳ୍ପ କିଛି ହାତଗଣତି ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।
ସୋମବାର ସନ୍ଧ୍ୟାରେ ରିସର୍ଟର ଅଳ୍ପ ଦୂରରୁ ବର ବେଶରେ ବାହାରିଥିଲେ ମନ୍ମଥ । ସାଙ୍ଗରେ ଅଳ୍ପ କିଛି ବରଯାତ୍ରୀ ଥିଲେ । ମନ୍ମଥଙ୍କ ସମ୍ପର୍କୀୟ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବରଯାତ୍ରୀ ଭାବେ ଯାଇଥିଲେ । ବିଜେଡି କିମ୍ବା କଂଗ୍ରେସ ଦଳରୁ ଅନ୍ୟ କେହି ନେତା ବିବାହରେ ସାମିଲ୍ ହୋଇନଥିଲେ । ବିଳମ୍ବିତ ରାତିରେ ଚନ୍ଦକା ରିସର୍ଟରେ ବୈଦିକ ରୀତିନୀତିରେ ତାଙ୍କର ବାହାଘର ସମ୍ପନ୍ନ ହୋଇଥିବା ସୂଚନା ମିଳିଛି । ରିସର୍ଟ ଭିତରେ ଫଟୋ ଉଠା ଉପରେ କଟକଣା ଲାଗିଥିଲା । ତାଙ୍କ ବାହାଘରରେ ଅଳ୍ପ କିଛି ହାତଗଣତି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସାମିଲ୍ ହୋଇଥିଲେ । ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର ହୋଇଥିବା ବେଳେ ମନ୍ମଥଙ୍କ ସହ ପ୍ରେମ ବିବାହ କରିଥିବା ଚର୍ଚ୍ଚା ହେଉଛି ।