
ଏଲୋନ୍ ମସ୍କ ଗତ ବର୍ଷ ଟ୍ୱିଟର ଗ୍ରହଣ କରିଥିଲେ, ଏବଂ ଏଥିରେ ସେ ବହୁତ କିଛି ପରିବର୍ତ୍ତନ ମଧ୍ୟ କରିଛନ୍ତି l ପ୍ରଥମେ ସୋସିଆଲ ମିଡିଆ ପ୍ଲାଟଫର୍ମର ନାମ ପରିବର୍ତ୍ତନ କଲେ l ସେମାନେ ଏହାର ନାମ ଟ୍ୱିଟରରୁ X କୁ ପରିବର୍ତ୍ତନ କରିବା ସହ ଲୋଗୋ ମଧ୍ୟ ପରିବର୍ତ୍ତନ କରିଥିଲେ l ବର୍ତ୍ତମାନ ସେ ମେଟାର ସମସ୍ତ ପ୍ଲାଟଫର୍ମ ସହିତ ଏକକ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି l ଏହି କ୍ରମରେ ସେ ଆଜି ଏକ ବଡ଼ ଘୋଷଣା କରିଛନ୍ତି।
ପ୍ରକୃତରେ, ହ୍ୱାଟ୍ସ ଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ବର୍ତ୍ତମାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X (ଟ୍ୱିଟର ନାମରେ ପରିଚିତ) ରେ ଭିଡିଓ ଏବଂ ଅଡିଓ କଲ୍ କରିବାରେ ସକ୍ଷମ ହୋଇପାରିବେ । ଭେଟେରାନ୍ ବ୍ୟବସାୟୀ ଏଲୋନ୍ ମସ୍କ ନିଜେ ଏହାର ସୂଚନା X ମାଧ୍ୟମରେ ଦେଇଛନ୍ତି। ଏହି ବୈଶିଷ୍ଟ୍ୟ ଅବା ଫିଚର କିପରି କାମ କରିବାକୁ ସକ୍ଷମ ହେବ ସେ କହିଛନ୍ତି।
ସମସ୍ତ ପ୍ରକାର ଫୋନ୍ ଏବଂ ଲାପଟପ୍ ରେ ଏହି ନୂତନ ଫିଚର ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ଏହି ଫିଚର ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଲାପଟପ୍ ରେ ସହଜରେ ବ୍ୟବହାର କରାଯାଇପାରିବ l ଏଥି ସହିତ, ଭିଡିଓ ଏବଂ ଅଡିଓ କଲ୍ ପାଇଁ କାହାର ଫୋନ୍ ନମ୍ବର ଜାଣିବାର ଆବଶ୍ୟକତା ନାହିଁ l ଲୋକମାନେ ନମ୍ବର ଜାଣି ନଥିଲେ ମଧ୍ୟ X ମାଧ୍ୟମରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ସମର୍ଥ ହୋଇପାରିବେ l
ରିପୋର୍ଟ ଅନୁଯାୟୀ, ନୂତନ ଫିଚର୍ସ ଡାଇରେକ୍ଟ ମେସେଜ୍ (DM) ମେନୁ ମଧ୍ୟରେ ଉପଲବ୍ଧ ହେବ ଏବଂ ଭିଡିଓ କଲିଂ ଅପ୍ସନ୍ ଉପର ଡାହାଣ କୋଣରେ ରହିବ। ନୂତନ ଡିଏମ୍ ମେନୁର ଡିଜାଇନ୍ ଅନ୍ୟ ପ୍ଲାଟଫର୍ମଗୁଡିକ ସହିତ ସମାନ ହେବ, ଯେପରିକି ଫେସବୁକ୍ ମେସେଞ୍ଜର ଏବଂ ହ୍ୱାଟ୍ସଆପରେ ଥାଏ, ଠିକ୍ ସେହିପରି। କିଛିଦିନ ତଳେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଇଓ ଲିଣ୍ଡା ୟାକାରିନୋ କହିଥିଲେ, ଏପରି ଫିଚର୍ ପ୍ଲାଟଫର୍ମର ଯୋଗାଯୋଗ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ବ୍ୟବହାରକାରୀଙ୍କୁ ପରସ୍ପର ସହ ଯୋଡିହେବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବ।