Site icon UTKAL PRATIDIN

ଦେଶରେ ଦୃତ ଗତିରେ ମାଡିଲାଣି କରୋନା, ବିଶେଷଜ୍ଞ କହିଲେ ଖୁବ ଶୀଘ୍ର ଆସିବ ଚତୁର୍ଥ ଲହର!

WhatsApp Image 2025-05-31 at 12.13.24 PM

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୧୨୦୦ରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। କେରଳ, ମହାରାଷ୍ଟ୍ର, ଦିଲ୍ଲୀ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଜେଏନ୍.୧ ଓ ଏନ୍ବି.୧.୮ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି। ଏପରି ପରିସ୍ଥିତିରେ କୋଭିଡ୍ର ଚତୁର୍ଥ ଲହରର ଆଶଙ୍କା ଦେଖାଦେଇଛି। ଏହି ବୃଦ୍ଧି ପାଉଥିବା ବିପଦ ମଧ୍ୟରେ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ)ର ବୈଜ୍ଞାନିକ ପ୍ରଫେସର ଜ୍ଞାନେଶ୍ୱର ଚୌବେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି।

ପ୍ରଫେସର ଚୌବେ କହିଛନ୍ତି ଯେ କୋରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ୍.୧ ସିଙ୍ଗାପୁର, ହଂକଂ, ଆମେରିକା ପରେ ଏବେ ଭାରତରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି। ବର୍ତ୍ତମାନ ଭାରତରେ ମାମଲା ବୃଦ୍ଧି ପାଉଥିବା ଦେଖି ଅନୁମାନ କରାଯାଉଛି ଯେ ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ ଏହା ନିଜର ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ। ପ୍ରଫେସର ଚୌବେ ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍ର ବିଭିନ୍ନ ଲହରର ସଂକ୍ରମଣ ଅବଧି ଭିନ୍ନ ଭିନ୍ନ ରହିଛି। ପ୍ରଥମ ଲହର ସମୟରେ ଲକ୍ଡାଉନ୍ ଯୋଗୁ ସଂକ୍ରମଣର ଗତି ଅଳ୍ପ ରହିଥିଲା, ଯାହା ପ୍ରାୟ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ଲହରରେ ଏହି ଅବଧି ୨୧ ଦିନରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତୃତୀୟ ଲହର ପ୍ରାୟ ୨୮ ରୁ ୩୨ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥିଲା। ଏହି ଆଧାରରେ ଅନୁମାନ କରାଯାଉଛି ଯେ ଓମିକ୍ରନର ଏହି ସବ୍-ଭାରିଆଣ୍ଟ ଜେଏନ୍.୧ ଓ ଏନ୍ବି.୧.୮ ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିପାରେ। ଏହା ୨୧ ରୁ ୨୮ ଦିନ ମଧ୍ୟରେ ନିଜର ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ, ଏହାପରେ ମାମଲା କମିବାରେ ଲାଗିବ।

ପ୍ରଫେସର ଚୌବେ କହିଛନ୍ତି ଯେ ଏହି ନୂଆ ଭାରିଆଣ୍ଟ ଜେଏନ୍.୧ ଓ ଏନ୍ବି.୧.୮ କେତେ ବିପଜ୍ଜନକ ହୋଇପାରେ, ତାହା ଜାଣିବା ପାଇଁ ତାଙ୍କ ଟିମ୍ ନିରନ୍ତର ଗବେଷଣା କରୁଛି। ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ଜିନୋମ ସିକ୍ୱେନ୍ସିଂ ଅତ୍ୟନ୍ତ ଜରୁରୀ। ଏହା ମାଧ୍ୟମରେ ଭୂତାଣୁର ମ୍ୟୁଟେସନ୍ (ଜେନେଟିକ ପରିବର୍ତ୍ତନ) ବିଷୟରେ ସୂଚନା ମିଳିଥାଏ। ଦ୍ୱିତୀୟ ଲହର ସମୟରେ ଆଲ୍ଫା ସହ ଆଉ ଦୁଇଟି ଭାରିଆଣ୍ଟ ମିଳିଥିଲା, ଯାହା କମ୍ୟୁନିଟି ସ୍ପ୍ରେଡ୍ (ସମୁଦାୟ ସଂକ୍ରମଣ) ଘଟାଇ ଅଧିକ ମୃତ୍ୟୁର କାରଣ ହୋଇଥିଲା। ଏଥର ମଧ୍ୟ ଏଭଳି ସମ୍ଭାବନା ରହିଛି କି ନାହିଁ, ତାହା ଜାଣିବା ପାଇଁ ଗବେଷଣା ଜାରି ରହିଛି। ବିଏଚ୍ୟୁର ବୈଜ୍ଞାନିକ ଟିମ୍ ଖୁବ୍ ଶୀଘ୍ର ବାରାଣସୀରେ ସିୱର ନମୁନା ସଂଗ୍ରହ କରି ତା’ର ପରୀକ୍ଷା କରିବ। ଏହି ପରୀକ୍ଷା ମାଧ୍ୟମରେ ଭୂତାଣୁର କେତେ କପି ରହିଛି, ତାହା ଜଣାପଡ଼ିବ, ଯାହା କମ୍ୟୁନିଟି ସ୍ପ୍ରେଡ୍ ଏବଂ ଆଗାମୀ ବିପଦର ଆକଳନ କରିବାରେ ସହାୟକ ହେବ।

Exit mobile version