
ଭୁବନେଶ୍ୱର: ଆସନ ଗୋଟିଏ ହେଲେ ଦାବିଦାର ଅନେକ | କିଏ ଯିବ ଦିଲ୍ଲୀ ଦରବାର ? କାହା ମୁଣ୍ଡରେ ସୁନାକାଳସ ଢାଳିବ ହାତୀ ? ରାଜ୍ୟସଭା ନିର୍ବାଚନକୁ ନେଇ ଏମିତି ଚାଲିଛି ଅନେକ ଅଙ୍କକଷା |
ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତ ଇସ୍ତଫା ଦେବା ପରେ ଖାଲି ପଡିଥିଲା ଗୋଟିଏ ଆସନ | ସେଥିପାଇଁ ସେପ୍ଟେମ୍ବର ୩ ତାରିଖରେ ହେବ ନିର୍ବାଚନ | ବିଧାନସଭା ଆସନ ସଂଖ୍ୟା ଦେଖିଲେ ଏଥର ରାଜ୍ୟସଭା ସିଟ ବିଜେପି ହାତକୁ ଯିବ | ତେଣୁ ଗୋଟିଏ ଆସନ ପାଇଁ ଏବେ ବିଜେପିରେ ମାଳମାଳ ଆଶାୟୀ | କାହାକୁ ସନ୍ତୁଷ୍ଟ କରିବ ଦଳ ? ଏହାକୁ ନେ ଏବେ ଦେଖାଦେଇଛି ସଂଶୟ |
କୁହାଯାଉଛି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଲଢ଼ି ଦଳ ଏଥର ସରକାର ଗଢ଼ିଛି | ତେଣୁ ମନମୋହନ ମନା କଲେ ବି ତାଙ୍କୁ ରାଜ୍ୟସଭା ଆସନ ଉପହାର ସ୍ୱରୂପ ଦେଇପାରେ ଦଳ | ସେଥିପାଇଁ କୁଆଡେ ମମତାଙ୍କୁ ମନେଇ ଇସ୍ତଫା ଦିଆଇଛି |
ଅନ୍ୟପକ୍ଷେ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଯେହେତୁ ଦଳ ଆମଦାନୀ ନେତାଙ୍କ ଉପରେ ଆଖି ପକାଇଛି ତେଣୁ ସେ ଧାରାକୁ ଆହୁରି ସ୍ୱଚ୍ଛ କରିବାକୁ ଚାହିଁବ | ସେଥିପାଇଁ ବିଜେଡି ନେତାଙ୍କ ଭରସା ଜିତିବା ଲାଗି ପୁଣି ମମତାଙ୍କୁ ରାଜ୍ୟସଭାକୁ ପଠାଇ ପାରେ ଦଳ | ମମତାଙ୍କୁ ନେଇ ଦିଲ୍ଲୀ ନେତା ମଧ୍ୟ ସମାନ କଥା କହୁଛନ୍ତି |
ରମାନଙ୍କୁ ବାଦ ଦେଲେ ଏହି ଦୋୖଡରେ ଆହୁରି ଅନେକ ଆଶାୟୀ ରହିଛନ୍ତି | ଦିଲ୍ଲୀପ ରାୟ, ପଦ୍ମ ପୁରସ୍କାର ବିଜେତା ତଥା ମୟୁରଭଞ୍ଜ ସାନ୍ତାଳୀ ଲେଖିକା ଦମୟନ୍ତୀ ବେସ୍ରାଙ୍କୁ ବି ପଠା ଯାଇପାରେ ବୋଲି ଆଲୋଚନା ହେଉଛି | ତା ଛଡା ରାଜ୍ୟ ସଭାକୁ ଯିବାଲାଗି ଦିଲ୍ଲୀପ ବି କୁଆଡେ ଦିଲ୍ଲୀରେ ଜୋରଦାର ଲବି ଚଳାଇଛନ୍ତି | ତେଣୁ ଦିଲ୍ଲୀପଙ୍କର ପୂର୍ବ ଟ୍ରକ ରେକର୍ଡ ଦେଖି ହୁଏତ ବିଜେପି ତାଙ୍କୁ ମନୋନୀତ କରିପାରେ |
ସେପଟେ ସମୀର ମହାନ୍ତି , ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ମଧ୍ୟ ଏହି ତାଲିକାରେ ଅଛି |
ଏପଟେ ବିଜେଡି କହିଛି ଆଶ୍ଚର୍ଯ୍ୟଜନକ ଘୋଷଣା କରିବାରେ ମାହିର ବିଜେପି ଆଉ କେଉଁ ନୂଆ ମୁହଁ ଦେଇ ସମସ୍ତଙ୍କୁ ଚକିତ ବି କରିପାରେ |
ତେବେ ବିଜେପି ରାଜ୍ୟସଭାକୁ କାହାକୁ ମନୋନୀତ କରିବ ତାହା ସମୟ ହିଁ କହିବ |