ଭୁବନେଶ୍ୱର: କୋଟେରୀ ନେତାଙ୍କ ଉପରୁ ତୁଟୁଛି କି ଭରସା ? ନା ବରିଷ୍ଠଙ୍କ ଉପରେ ବଢୁଛି ଆଶା ? କୋଟେରୀରେ ଥିଲେ କିନ୍ତୁ ସମ୍ଭାଳି ପାରି ନ ଥିଲେ ନିର୍ବାଚନୀ କମାଣ | ସେଥିପାଇଁ ମିଳିଲା କି ଏ ପରିଣାମ ? ନବୀନଙ୍କ ନୂଆ କମିଟିରୁ କାହିଁକି ବାଦ ପଡିଲେ ଆଗଧାଡିର ନେତା ପ୍ରଣବ ପ୍ରକାଶ ଦାସ ? ଯାହାକୁ ନେଇ କମିଟି ଗଠନର ଦୁଇ ଦିନ ପରେ ବି ଥମୁନି ଚର୍ଚ୍ଚା |
ଆମେ କହୁଛୁ ସେଇ କମିଟି କଥା, ଯାହାକୁ ନିଜ ତଦାରଖରେ ଗଠନ କରିଛନ୍ତି ନବୀନ ପଟ୍ଟନୟକ | ୨୦୨୪ ନିର୍ବାଚନ ହାରିବା ପରେ ଭୁଶୁଡୁଛି ବିଜେଡି ଗଡ | ବିଶେଷକରି ମମତା ମହନ୍ତ ବିଜେପିରେ ମିଶିବା ଦଳକୁ ଦେଇଛି ବଡ ଝଟକା | ଏବେ ତୃଣମୂଳ ସ୍ତରରୁ ଦଳକୁ ସଜାଡ଼ିବା ପାଇଁ ଆଗେଇ ଆସିଛନ୍ତି ନବୀନ | ଦଳର ବିଭିନ୍ନ କାର୍ଯ୍ୟକ୍ରମ ସଂଯୋଜନା ଓ ତଦାରଖ ପାଇଁ ଗଠନ କରିଛନ୍ତି କମିଟି । ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ଏବଂ ଏଥିରେ ମୋଟ୍ ୧୫ଜଣ ସଦସ୍ୟ ରହିଛନ୍ତି ।
ତେବେ ରାଜନୀତି ଆରମ୍ଭ ହୋଇଛି ତାଲିକାରେ ଥିବା ନାଁକୁ ନେଇ | କାରଣ, ୨୦୨୪ ନିର୍ବାଚନରେ ଯେଉଁ ନେତାମାନେ ଦଳର କମାଣ ଧରିଥିଲେ ସେମାନେ କମିଟିରୁ ବାଦ ପଡିଛନ୍ତି । ଏହି କମିଟିରେ, ଆଗଧାଡିର ନେତା ପ୍ରଣବ ପ୍ରକାଶ ଦାସଙ୍କ ନାଁ ନାହିଁ | ସେତିକି ନୁହେଁ, ବ୍ୟୋମକେଶ ରାୟ, ସୁଶାନ୍ତ ସିଂ, ମାନସ ମଙ୍ଗରାଜ, ଦିବ୍ୟଶଙ୍କର ମିଶ୍ର ବି କମିଟିରୁ ବାଦ ପଡିଛନ୍ତି | ଏମାନେ ସବୁ ପାଣ୍ଡିଆନଙ୍କ କୋଟେରୀର ନେତା ଥିଲେ | ସେହିପରି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମାଙ୍କ ପରି ଅନେକ ବରିଷ୍ଠ ନେତା ବି ସ୍ଥାନ ପାଇନାହାନ୍ତି ।
୨୦୨୪ ନିର୍ବାଚନ ହାରିବା ପଛରେ ପାଣ୍ଡିଆନଙ୍କ ପ୍ରତି ଅସନ୍ତୋଷ ଏକ ପ୍ରମୁଖ କାରଣ ହେଲେ ବି ଆରମ୍ଭରୁ ସ୍ୱୀକାର କରି ନ ଥିଲେ ନବୀନ | ହେଲେ ଏବେ ବୋଧହୁଏ ସେ ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି ନବୀନ | ସେହିପରି ପ୍ରଣବ ପ୍ରକାଶଙ୍କ ପ୍ରତି ନେତାଙ୍କ ଅସନ୍ତୋଷ ନିଜ ଆଖିରେ ନବୀନ ନିବାସରେ ଦେଖିଛନ୍ତି ଦଳ ସୁପ୍ରିମୋ | ତେଣୁ ନିଜ ଭୁଲ ସୁଧାରିବା ସହ ଦଳୀୟ କର୍ମୀଙ୍କ ଅସନ୍ତୋଷ କମାଇବାକୁ ମୁଖିଆ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି |
ତେବେ ଆଗକୁ ଦଳ କେତେ ସଂଗଠିତ ହେଉଛି ଦେଖିବାକୁ ବାକି ରହିଲା |

