
ନୂଆଦିଲ୍ଲୀ:ବାଂଲାଦେଶରେ ଥମୁନି ହିଂସାର ନିଆଁ | ଏବେ ଟାର୍ଗେଟରେ ହିନ୍ଦୁ ସମାଜ | ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରୋଶ ଏବେ ବାଂଲା ହିନ୍ଦୁଙ୍କ ଉପରେ | ଛାତ୍ର ଅସନ୍ତୋଷକୁ ନେଇ କୁହୁଳୁଥିବା ନିଆଁ ରାଜନୈତିକ ରୂପ ନେଲା | ସରକାର ଭାଙ୍ଗିଦେଲା | ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଦେଶରୁ ବିତାଡିତ କରାଗଲା | ତଥାପି କାହିଁକି ଲିଭୁନି ଏ ନିଆଁ | କାହିଁକି ଥମୁନି ହିଂସା ? କାହିଁକି ସଂପ୍ରଦାୟିକ ରୂପ ନେଇଛି ଏ ହିଂସା ? ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢୁଛି | ଉତ୍ତ୍ୟକ୍ତ ଲୋକେ ଘର ପୋଡି ଦେଉଛନ୍ତି, ଲୁଟପାଟ କରୁଛନ୍ତି | ହେଲେ ବୁଝି ହେଉନି, ସଂରକ୍ଷଣ ବିବାଦ ପଛରେ ହିନ୍ଦୁ ସମାଜର କି ଦୋଷ ? ଛାତ୍ର ସମାଜର ଆକ୍ରୋଶ, ଅସନ୍ତୋଷ ଭିତରକୁ ସେଠିକା ହିନ୍ଦୁମାନେ କେମିତି ପଶି ଆସିଲେ ? ତେବେ ଏତିକି ବୁଝି ହେଉଛି ଏହା ପଛରେ ଥିବା ସଂକୀର୍ଣ୍ଣ ମାନସିକତା |
ଏମିତି ଏକ ସମୟରେ ‘ଦ ନିଉଅର୍କ ଟାଇମସ’ର ଏକ ରିପୋର୍ଟ ଏବେ ଚର୍ଚ୍ଚାର ବିଷୟ ହୋଇଛି | ଦ ନିଉଅର୍କ ଟାଇମସରେ ବାଂଲାଦେଶ ଖବରକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ଯାହାର ଶୀର୍ଷକ ହେଉଛି ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ହିନ୍ଦୁମାନଙ୍କ ଉପରେ ପ୍ରତିଶୋଧାତ୍ମକ ଆକ୍ରମଣ | ଏଠି ଗୋଟିଏ ଶବ୍ଦକୁ ନେଇ ଉଠିଥିଲା ପ୍ରଶ୍ନ | ରିଭେଞ୍ଜ ବା ପ୍ରତିଶୋଧ | ଅର୍ଥାତ ହିନ୍ଦୁମାନେ ଏମିତି କିଛି କରିଛନ୍ତି ଯାହାର ପ୍ରତିଶୋଧ ନେଇ ତାଙ୍କ ଉପରେ ଆକ୍ରମଣ କରାଯାଉଛି | ତେବେ ହିନ୍ଦୁମାନେ କରିଛନ୍ତି କଣ ? ଶେଖ ହସିନାଙ୍କୁ ସମର୍ଥନ କରିଛନ୍ତି, ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେଇ ନିର୍ବାଚନରେ ମତଦାନ କରିଛନ୍ତି | ଏଥିପାଇଁ ନିଉଅର୍କ ଟାଇମସ ପରି ଏକ ଦାୟିତ୍ୱସଂପନ୍ନ ସଂସ୍ଥା କଣ ଏହାକୁ ରିଭେଞ୍ଜ କହିବ ?
ଅବଶ୍ୟ ଏହାକୁ ନେଇ ୟୁଜର୍ସମାନଙ୍କ ତୀବ୍ର ବିରୋଧ ପରେ ନିଉଅର୍କ ଟାଇମସ ଏହାର ହେଡ଼ ଲାଇନ ବଦଳିଛି | କିନ୍ତୁ ଖବରରେ କୌଣସି ପରିବର୍ତ୍ତନ କରିନାହିଁ | ତେବେ ସବୁଠାରୁ ପରିତାପର ବିଷୟ, ହିନ୍ଦୁମାନଙ୍କର ଏପରି ସ୍ଥିତିରେ ଆମ ନେତାମାନଙ୍କର ବି ମୁହଁ ଖୋଲୁନି |
ବାଂଲାଦେଶ ଦିନେ ଭାରତର ଅଂଶ ଥିଲା | ସେଠିକାର ଲୋକ ଦିନେ ଏଇ ମାଟିର ଥିଲେ | ହେଲେ ଆମରି ଲୋକ ଆଜି ବାଂଲା ଦେଶରେ ନିର୍ଯାତନା ପାଉଛନ୍ତି | ସେମାନଙ୍କ ଘର ଲୁଟପାଟ ହେଉଛି, ଜାଳି ଦିଆଯାଉଛି | ନିଷ୍ଠୁର ଭାବେ ହତ୍ୟା କରି ଦିଆଯାଉଛି | ଜୀବନ ବିକଳରେ ଶହ ଶହ ହିନ୍ଦୁ ଭାରତକୁ ଶରଣ ମାଗୁଛନ୍ତି | ଭାରତକୁ ଆସିବା ପାଇଁ ସୀମାରେ ଅପେକ୍ଷା କରିଛନ୍ତି | ହେଲେ ସେମାନଙ୍କୁ ସମବେଦନା ଜଣାଇବା ପାଇଁ କାହାରି ମୁହଁରେ ଭାଷା ନାହିଁ |
ଗାଜାପଟିରେ ମୁସଲମାନଙ୍କ ଉପରେ ଆକ୍ରମଣବେଳେ ସିସିଆଲ ମିଡ଼ିଆରେ କାନ୍ଦୁଥିବା ବଡ ବଡ ନେତାଙ୍କର ଟୁଇଟ, ଇନ୍ସଟାରେ ବି ଧାଡ଼ିଟିଏ ଦେଖିବାକୁ ମିଳୁନି ?