ଭୁବନେଶ୍ୱର: ବିଜେଡ଼ିକୁ ଜବରଦସ୍ତ ଝଟକା | ବିଧାନସଭାରେ ବିରୋଧୀ ଭୂମିକା ନେଲେ | ଲୋକସଭାରେ ଗୋଟିଏ ବି ଆସନ ପାଇଲେନି | ରାଜ୍ୟସଭାରେ ସ୍ଥିତି ମଜଭୁତ ଥିଲା, ଏବେ ତା ବି ଭୁଶୁଡିବାକୁ ଯାଉଛି | ବିଜେପିର ଷଡଯନ୍ତ୍ର ହେଉ କିମ୍ବା ବିଜେଡି ବିରୋଧରେ ବଢୁଥିବା ଅସନ୍ତୋଷ ହେଉ | କମୁଛି ବିଜେଡ଼ି ପତିଆରା | ଗତକାଲି ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ କାର୍ଯ୍ୟକାଳ ଶେଷ ହେବା ଆଗରୁ ତାଙ୍କ ପଦରୁ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି | ମମତାଙ୍କ ଇସ୍ତଫା ପରେ ବିଜେଡ଼ିକୁ ଲାଗିଛି ଝଟକା | କାରଣ ଏବେ ରାଜ୍ୟ ସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସି ଆସିଛି |
୨୦୨୦ରେ ମମତା ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିଲେ | ୨୦୨୬ ଏପ୍ରିଲ ୨୬ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ | ହେଲେ ତା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି | ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପରେ ସନ୍ଧ୍ୟାରେ ଦଳରୁ ଇସ୍ତଫା ଦେଇଛନ୍ତି | ଅନ୍ୟ ପକ୍ଷେ ତାଙ୍କର ଏପରି ଅଚାନକ ଇସ୍ତଫା ବିଜେଡି ଶିବିରରେ ବି ଭୃକୁଞ୍ଚନ ସୃଷ୍ଟି କରିଛି |
ଇସ୍ତଫା ପରେ ଦଳ ଉପରେ ବି ବର୍ଷିଛନ୍ତି ମମତା | ମମତା ମୟୁରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ଥିଲେ | ନବୀନ ପଟ୍ଟାନାୟକଙ୍କ ପାଖକୁ ଇସ୍ତଫା ଦେଇ ଧନ୍ୟବାଦ ଜଣାଇଛନ୍ତି | ତାସହ ଏକଥା ମଧ୍ୟ କହିଛନ୍ତି, ଦଳ ପାଇଁ ତାଙ୍କର ଆଉ ତାଙ୍କ ସମ୍ପ୍ରଦାୟର ଆବଶ୍ୟକତା ନାହିଁ | ତେଣୁ ସେ ଇସ୍ତଫା ଦେଇଛନ୍ତି |
ଅନ୍ୟ ପକ୍ଷେ ତାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର ହୋଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି | ଗତ ନିର୍ବାଚନରେ ମୟୁରଭଞ୍ଜରେ ବିଜେଡି ଦଳର ଶୋଚନୀୟ ପରାଜୟ ହୋଇଥିଲା | ଏ ନେଇ ଦଳର ଜଣେ ବରିଷ୍ଠ ନେତା କୁଆଡେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ | ତେଣୁ ତାଙ୍କ ଚାପରେ ସେ ଇସ୍ତଫା ଦେଇଛନ୍ତି |
ଅନ୍ୟ ପକ୍ଷେ ଏହା ବିଜେପିର ଚାଲ ବୋଲି କୁହାଯାଉଛି | ହୁଏତ ମମତା ବିଜେପିରେ ମିଶି ପାରନ୍ତି ଏବେ ଦଳ ତାଙ୍କୁ କିଛି ବଡ ପଦବୀ ଦେଇପାରେ | ଏପରିକି ଗତକାଲି ଆସିକା ଏମପି ଅନିତା ଶୁଭଦର୍ଶିନୀଙ୍କ ସହ ମମତାଙ୍କୁ ଏକାଠି ଦେଖିବା ପରେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି |
ଯାହା ବି ହେଉ, ମମତାଙ୍କ ଇସ୍ତଫା ପରେ ବିଜେଡିର ଚିନ୍ତା ବଢି ଯାଇଛି | କାରଣ ଏହି ପଦ ପାଇଁ ପୁଣି ନିର୍ଵାଚନ ହେବ | ଆଉ ନିର୍ବାଚନ ହେଲେ ସଂଖ୍ୟା ଦୃଷ୍ଟିରୁ ଏହା ବିଜେପି ହାତକୁ ଯିବା ସୁନିଶ୍ଚିତ | ଫଳରେ ରାଜ୍ୟ ସଭାରେ ବିଜେପିର ଦବଦବା ବଢିବ | ବିଜେଡି ସଂଖ୍ୟା ୮କୁ ଖସିବା ବେଳେ ବିଜେପି ସଂଖ୍ୟା ୧ ରୁ ବଢି ୨ ହେବ |