ନୂଆଦିଲ୍ଲୀ: ୱାକଫ ବିଲକୁ ନେଇ ସଂସଦରେ ହଂଗାମା, ତେଜୁଛି ରାଜନୀତି | ବିରୋଧୀ କହୁଛନ୍ତି ଏହା ମୁସଲିମ ବିରୋଧୀ, ବିଲକୁଲ ଆସିବାକୁ ଦେବୁନି | ସରକାର କହୁଛନ୍ତି ସମର୍ଥନ ଦିଅ, ହଜାର ହଜାର ଲୋକଙ୍କ ଆଶୀର୍ବାଦ ମିଳିବ | ଏମିତି ହଂଗାମା ଭିତରେ ଏହି ବିଲକୁ jpc ବା Joint parliamentary committeeକୁ ପଠାଇ ଦେଇଛନ୍ତି ସରକାର | ତେବେ କଣ ଏହି ୱାକଫ ବିଲ ? କାହିଁକି ଏହାକୁ ନେଇ ରାଜନୀତି ପଡୁଛି ଉଠୁଛି ?
ଇସ୍ଲାମ ଧର୍ମର ଆଇନ ଅନୁସାରେ ଧାର୍ମିକ କିମ୍ବା ଧର୍ମ ଉଦ୍ଦେଶ୍ୟରେ ବିଶେଷ ଭାବେ ସମର୍ପିତ ସମ୍ପତ୍ତିର ଦେଖାରଖା କରୁଥିବା ସଂଗଠନର ନାଁ ହେଉଛି ୱାକଫ | ଥରେ ୱାକଫ ନାଁକୁ ଚାଲିଗଲା ପରେ ଏହି ସମ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଆଲ୍ଲାଙ୍କ ପାଖକୁ ଚାଲିଯାଏ ଆଉ ଏହି ନିୟମ ଅପରିବର୍ତ୍ତନୀୟ ଅଟେ | ଏପରିକି ଯଦି ବୋର୍ଡକୁ ଲାଗିବ ଯେ କୌଣସି ସମ୍ପତ୍ତି କୌଣସି ଏକ ସମୟରେ ଧାର୍ମିକ କାମରେ ବ୍ୟବହାର କରାଯାଉଥିଲା ତେବେ ତା ଉପରେ ମଧ୍ୟ ବୋର୍ଡ ଅଧିକାର ସାବ୍ୟସ୍ତ କରିପାରିବ | ଏସବୁ ସମ୍ପତ୍ତିର ପରିଚାଳନା ୱାକଫ ବା ଏହାର ଅଧିକାରୀ ମାନେ ହିଁ କରିବେ |
ରେଳ ଏବଂ ରକ୍ଷା ବିଭାଗ ପରେ ୱାକଫ ବୋର୍ଡ ଦେଶର ତୃତୀୟ ବୃହତ୍ତମ ଭୂମି ଧାରକ | ୱାକଫ ବୋର୍ଡ ସାରା ଭାରତ ବର୍ଷରେ ୯.୪ ଲକ୍ଷ ଏକର ଜମିରେ ଥିବା ୮.୭ ଲକ୍ଷ ଟଙ୍କାର ସମ୍ପତ୍ତିକୁ ନିୟନ୍ତ୍ରଣ କରୁଛି | ଉତ୍ତର ପ୍ରଦେଶ ଏବଂ ବିହାରରେ ୨ଟି ସିୟା ୱାକଫ ବୋର୍ଡକୁ ମିଶାଇ ମୋଟ ୩୨ଟି ୱାକଫ ବୋର୍ଡ ଅଛି |
ଭାରତରେ ସୁଲତାନ ଶାସନ ସମୟରୁ ବୋର୍ଡ କାମ କରି ଆସୁଛି | ତେବେ ୧୯୫୪ରେ ୱାକଫ ବିଲ ପ୍ରଥମେ ସଂସଦରେ ପାସ କରିଥିଲା | ୧୯୯୫ରେ ଏହାର ପ୍ରଥମ ସଂଶୋଧନ କରାଯାଇଥିଲା | ଏହି ସଂଶୋଧନରେ ବୋର୍ଡକୁ ଅଧିକ ଶକ୍ତି ମିଳିଥିଲା | ୨୦୧୩ରେ ଆଉଥରେ ସଂଶୋଧନ କରାଯାଇଥିଲା | ମୁସଲିମ ଦାନ ନାଁରେ ସମ୍ପତ୍ତି ଉପରେ ନିଜର ଦାବି ସାବ୍ୟସ୍ତ କରିବା ପାଇଁ ବୋର୍ଡକୁ ଅସୀମିତ କ୍ଷମତା ପ୍ରଦାନ କରାଗଲା | ଏପରିକି ୱାକଫ ସମ୍ପତ୍ତି ବିକ୍ରି ଏକପ୍ରକାର ଅସମ୍ଭବ ହୋଇ ପଡିଲା |
ଏବେ ଏନଡିଏ ସରକାର ଏହି ବିଲରେ ଏବେ ୪୦ଟି ସଂଶୋଧନ ଆଣିବାକୁ ଚାହୁଁଛନ୍ତି | ଏହି ସଂଶୋଧନ ବୋର୍ଡକୁ ଅଧିକ ଦକ୍ଷ କରିବା ତଥା ଏଥିରେ ମହିଳାଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରହିଛି | ଅବଶ୍ୟ ଏଥିରେ ୱାକଫ ବୋର୍ଡ଼ରେ ବର୍ତ୍ତମାନ ଥିବା କିଛି ନିୟମକୁ ରଦ୍ଦ କରା ଯାଇଛି ଯଦ୍ୱାରା ବୋର୍ଡର ମନମାନି କମ ହୋଇଯିବ ବୋଲି ସରକାର ଦାବି ରଖିଛନ୍ତି |
ତେବେ ବିରୋଧୀ ୪୦ଟି ସଂଶୋଧନ ମଧ୍ୟରୁ ୫ଟିକୁ ବିରୋଧ କରିଛନ୍ତି | ଏହି ୫ଟି ମାମଲା କଣ ଆସନ୍ତୁ ଜାଣିବା |
୧-ଯଦି ୱାକଫ ବୋର୍ଡ଼ କୌଣସି ବ୍ୟକ୍ତି, ସଂଗଠନ, କମ୍ପାନୀ କିମ୍ବା ସରକାରଙ୍କ ଜମି ଉପରେ ନିଜର ଅଧିକାର ସାବ୍ୟସ୍ତ କରେ ତେବେ ଅଭିଯୋଗକାରୀ ଏହା ବିରୋଧରେ ୱାକଫ ଟ୍ରିବୁନାଲ ବ୍ୟତୀତ ରେଭିନ୍ୟୁ କୋର୍ଟ, ସିଭିଲ କୋର୍ଟ କିମ୍ବା ହାଇକୋର୍ଟରେ ଅପିଲ କରି ପାରିବେ | ଏହା ପୂର୍ବରୁ ଅଭିଯୋଗକାରୀ ୱାକଫ ଟ୍ରିବୁନାଲରେ ଆବେଦନ କରିବାର ପ୍ରାବଧାନ ନ ଥିଲା |
୨-ବର୍ତ୍ତମାନ ନିୟମ ଅନୁସାରେ, ୱାକଫ ଟ୍ରିବୁନାଲର ରାୟ ଶେଷ ରାୟ | ଏହାକୁ ଅନ୍ୟ କେଉଁଠି ଚାଲେଞ୍ଜ କରାଯାଇ ପାରିବ ନାହିଁ କିମ୍ବା ଏହା ବିରୋଧରେ ଅନ୍ୟ କୋର୍ଟକୁ ଯାଇପାରିବ ନାହିଁ ବୋଲି ନିୟମ ରହିଛି | ହେଲେ ସଂଶୋଧିତ ପ୍ରସ୍ତାବରେ ୱାକଫ ଟ୍ରିବୁନାଲର ରାୟକୁ ହାଇ କୋର୍ଟରେ ଚାଲେଞ୍ଜ କରାଯାଇ ପାରିବ ବୋଲି ପ୍ରସ୍ତାବ ଦିଆଯାଇଛି |
୩-ବର୍ତ୍ତମାନ ନିୟମ ଅନୁସାରେ, କୌଣସି ସମୟରେ ଯଦି ସମ୍ପତ୍ତିକୁ ଇସ୍ଲାମ ଧର୍ମ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିଲା କିମ୍ବା ସେଠାରେ ମସଜିଦ ଥିଲା ତେବେ ଏହି ସମ୍ପତ୍ତି ଆପେ ଆପେ ୱାକଫ ବୋର୍ଡ ହାତକୁ ଚାଲିଯିବ | ହେଲେ ସଂଶୋଧିତ ପ୍ରସ୍ତାବ ଅନୁସାରେ, ଯେ ପର୍ଯ୍ୟନ୍ତ ୱାକଫ ବୋର୍ଡ ନାଁରେ କୌଣସି ସମ୍ପତ୍ତି କରା ନ ଯାଇଛି ସେ ପର୍ଯ୍ୟନ୍ତ ବୋର୍ଡ ଏହି ସମ୍ପତି ଉପରେ ହକ ସାବ୍ୟସ୍ତ କରିପାରିବ ନାହିଁ |
୪- ବର୍ତ୍ତମାନ ନିୟମ ଅନୁସାରେ,ୱାକଫ ବୋର୍ଡରେ କୌଣସି ମହିଳା ସଦସ୍ୟଙ୍କୁ ସାମିଲ କରାଯାଇ ନାହିଁ | ହେଲେ ସଂଶୋଧିତ ପ୍ରସ୍ତାବରେ ବୋର୍ଡ଼ରେ ୨ ଜଣ ମହିଳାଙ୍କ ସମେତ ଅନ୍ୟ ଧର୍ମର ୨ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି |
୫-ବର୍ତ୍ତମାନ ନିୟମ ଅନୁସାରେ, ୱାକଫ ବୋର୍ଡର ବିବାଦିତ ସମ୍ପତ୍ତି ଉପରେ ସର୍ଭେ କରିବା ନେଇ କୌଣସି ସ୍ପଷ୍ଟ ନିୟମ ନାହିଁ | ସଂଶୋଧିତ ପ୍ରସ୍ତାବ ଅନୁସାରେ ବିବାଦିତ ସ୍ଥିତିରେ ୱାକଫ ବୋର୍ଡ ସମ୍ପତ୍ତିର ସର୍ଭେ ଜିଲ୍ଲା କଲେକ୍ଟର କରି ପାରିବେ |ଯଦି ସର୍ଭେ ରିପୋର୍ଟରେ କୌଣସି ସମ୍ପତ୍ତି ବୋର୍ଡର ନୁହେଁ ବୋଲି ପ୍ରମାଣିତ ହେବ ତେବେ ତାହା ୱାକଫ ବୋର୍ଡର ବୋଲି ଗ୍ରହଣ କରାଯିବ ନାହିଁ |