
ସ୍କ୍ରବ୍ ଟାଇଫସ ଏକ ରୋଗ ଯାହା ଏକ ଜୀବାଣୁ ଓରିଏଣ୍ଟିଆ ସୁଟସୁଗାମୁସି ଦ୍ୱାରା ବ୍ୟାପିଥାଏ l ଏହା ମଣିଷ ଶରୀର ପ୍ରତି ଖୁବ କ୍ଷତିକାରକ l ତେବେ ଏକ ପ୍ରକାରର ଛୋଟ ପୋକ କାମୁଡ଼ିବା ଦ୍ୱାରା ଏହି ଜୀବାଣୁର ସଂକ୍ରମଣ ଆରମ୍ଭ ହୋଇଥାଏ l ସାଧାରଣତଃ ଚାଷ ଜମି ତଥା ଘାସ ସ୍ଥାନରେ ସ୍କ୍ରବ୍ ଟାଇଫ୍ସ ସୃଷ୍ଟି କରୁଥିବା ଏହି ପ୍ରକାର ପୋକ ଦେଖିବାକୁ ମିଳିଥାଏ l
ଏହି ରୋଗ ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ, ଇଣ୍ଡୋନେସିଆ, ଚୀନ୍, ଜାପାନ, ଭାରତ ଏବଂ ଉତ୍ତର ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳମାନଙ୍କରେ ଦେଖାଯାଏ । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍ସ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ ଛୋଟ ପୋକ ତଥା କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଛି । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି ।
କ’ଣ ରହିଥାଏ ଲକ୍ଷଣ?
ସାଧାରଣତଃ ଏହି ରୋଗର ଲକ୍ଷଣ କୀଟ କାମୁଡ଼ିବାର ଦଶ ଦିନ ପରେ ଦେଖା ଦେଇଥାଏ l ତେବେ ଏହି ରୋଗରେ ଜ୍ୱର ସହିତ ମୁଣ୍ଡ ବ୍ୟଥା ଶରୀର ଓ ମାଂସପେଶୀରେ ଦରଜ ହୋଇଥାଏ l ଏହା ବ୍ୟତୀତ କୀଟ କାମୁଡିବା ସ୍ଥାନରେ କଳା ଦାଗ ସଦୃଶ ହୋଇଯାଏ ଓ କୁଣ୍ଡାଇ ମଧ୍ୟ ହୋଇଥାଏ l ଧୀରେ ଧୀରେ ଜୀବାଣୁ ଶରୀରର ବିଭିନ୍ନ ଅଙ୍ଗାପ୍ରତ୍ୟୋଙ୍ଗକୁ ବ୍ୟାପିବା ସହ ନିମ୍ନ ରକ୍ତ ଚାପ ସୃଷ୍ଟି କରିଥାଏ l
କିପରି କରିବେ ନିରାକରଣ?
ଏହି ରୋଗ ଖୁବ ଭୟଙ୍କର l ତେଣୁ ଏପରି ରୋଗର ଲକ୍ଷଣ ଦେଖିବା ମାତ୍ରେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ l ଚଳିତ ବର୍ଷ ମାର୍ଚ୍ଚ ମାସରେ, ଭାରତୀୟ ବୈଜ୍ଞାନିକମାନଙ୍କର ଏକ ଦଳ ଏହି ଗୁରୁତର ସ୍କ୍ରବ୍ ଟାଇଫସ୍ ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ଚିହ୍ନଟ କରିଛନ୍ତି l ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍ (NEJM) ରେ ପ୍ରକାଶିତ ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ କେବଳ ସାଧାରଣ ଔଷଧ ବ୍ୟବହାର କରିବା ଅପେକ୍ଷା ଇଣ୍ଟ୍ରାଭେନସ୍ ଆଣ୍ଟିବାୟୋଟିକ୍ ଡକ୍ସିସାଇକ୍ଲିନ୍ ଏବଂ ଆଜିଥ୍ରୋମାଇସିନ୍ ମିଶ୍ରଣରେ ରୋଗୀଙ୍କୁ ଚିକିତ୍ସା କରିବା ଅଧିକ ପ୍ରଭାବଶାଳୀ ହୋଇଥାଏ l ଏହି ଅଧ୍ୟୟନରୁ ଜଣାପଡିଛି ଯେ ଯେତେବେଳେ ଉଭୟ ଆଜିଥ୍ରୋମାଇସିନ୍ ଏବଂ ଡକ୍ସିସାଇକ୍ଲିନ୍ ଗୁରୁତର ସ୍କ୍ରବ୍ ଟାଇଫସ୍ ରୋଗୀଙ୍କୁ ଦିଆଯାଏ , ଜୀବାଣୁମାନେ ଶୀଘ୍ର ନଷ୍ଟ ହୋଇଥାନ୍ତି ଏବଂ ଏହା ରୋଗୀଙ୍କୁ ଶୀଘ୍ର ଉନ୍ନତି କରିବାରେ ସହାୟ ହୁଏ l
ତେବେ ଏହାର ଚିକିତ୍ସା ଯେତେ ସହଜ ଦେଖା ଯାଉଛି ସେତେ ସହଜ ହୋଇ ନଥାଏ l ରୋଗଟି ମାରାତ୍ମକ ହୋଇପାରେ l ତେଣୁ ଲକ୍ଷଣ ଦେଖା ହେବ ମାତ୍ରେ ଏହାକୁ ଅଣଦେଖା ନକରି ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ l