ଯୋଧପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଗସ୍ତରେ ଅଛନ୍ତି। ପିଏମ ମୋଦୀ ଏଠାରେ 5000 କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମାବେଶକୁ ଖୁବ୍ ଶୀଘ୍ର ସମ୍ବୋଧିତ କରିବେ l ଆପଣଙ୍କୁ କହିରଖୁଛୁ ଯେ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ସହିତ ରାଜସ୍ଥାନ ମଧ୍ୟ ସେହି ପାଞ୍ଚଟି ରାଜ୍ୟରେ ଅନ୍ତର୍ଭୁକ୍ତ ହୋଇଛି ଯେଉଁଠାରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଏଥିସହ ପିଏମ ମୋଦୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଆଇଆଇଟି ଯୋଧପୁରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଆଇଆଇଟି ଯୋଧପୁର 2008 ରେ ଅନ୍ୟ 7 ଟି ଆଇଆଇଟି ସହିତ ପ୍ରତିଷ୍ଠିତ ହୋଇଥିଲା l ଏହି ଅନୁଷ୍ଠାନ ଯୋଧପୁର-ନାଗୌର ରାଜପଥରେ 852 ଏକର ଜମିରେ ବ୍ୟାପିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସ୍ୱାଧୀନତାର ଦଶନ୍ଧି ମଧ୍ୟରେ, 2014 ପର୍ଯ୍ୟନ୍ତ, ରାଜସ୍ଥାନରେ କେବଳ 600 କିଲୋମିଟର ରେଳ ଟ୍ରାକ୍ ବିଦ୍ୟୁତକରଣ କରାଯାଇଥିଲା। ଗତ 9 ବର୍ଷ ମଧ୍ୟରେ 3700 କିଲୋମିଟରରୁ ଅଧିକ ରେଳ ଟ୍ରାକ୍ ବିଦ୍ୟୁତକରଣ ହୋଇଛି l ଡିଜେଲ ଇଞ୍ଜିନ୍ ଟ୍ରେନ୍ ବଦଳରେ ଇଲେକ୍ଟ୍ରିକ୍ ଇଞ୍ଜିନ୍ ଟ୍ରେନ୍ ଏହି ଟ୍ରାକରେ ଚାଲିବ l ଏହା ରାଜସ୍ଥାନରେ ପ୍ରଦୂଷଣକୁ ହ୍ରାସ କରିବ ଏବଂ ଏଠାରେ ବାୟୁ ମଧ୍ୟ ସୁରକ୍ଷିତ ରହିବ l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଛନ୍ତି, ରାଜସ୍ଥାନ ଏପରି ଏକ ରାଜ୍ୟ ଯେଉଁଠାରେ ପ୍ରାଚୀନ ଭାରତର ଗୌରବ ଦୃଶ୍ୟମାନ ହୁଏ ଏବଂ ଭାରତର ସାହସ, ସମୃଦ୍ଧତା ଏବଂ ସଂସ୍କୃତି ପ୍ରତିଫଳିତ ହୁଏ। କିଛି ସମୟ ପୂର୍ବରୁ ଯୋଧପୁରରେ ଏକ ଜି -20 ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ ବିଶ୍ଵର ବିଭିନ୍ନ ସ୍ଥାନରୁ ଅତିଥିମାନେ ପ୍ରଶଂସା କରିଥିଲେ l ଆମ ଦେଶର ଲୋକ ହୁଅନ୍ତୁ କିମ୍ବା ବିଦେଶୀ ପର୍ଯ୍ୟଟକ ହୁଅନ୍ତୁ, ସମସ୍ତେ ଅତି କମରେ ଥରେ ସନ୍ସିଟି ଯୋଧପୁର ପରିଦର୍ଶନ କରିବାକୁ ଚାହାଁନ୍ତି l