ଭୁବନେଶ୍ଵର: ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ସଂସ୍କାର ଭାବରେ ବିବେଚନା କରାଯାଏ । ଏହା ୧୬ ଟି ପ୍ରମୁଖ ସଂସ୍କାର ମଧ୍ୟରୁ ଗୋଟିଏ । ଏହାର ପଦ୍ଧତି ଏବଂ ନିୟମ ବ୍ୟତୀତ ଶାସ୍ତ୍ରରେ ଆଠ ପ୍ରକାରର ବିବାହ ବିଷୟରେ ଉଲ୍ଲେଖ କରାଯାଇଛି । ଶାସ୍ତ୍ରରେ ୮ ପ୍ରକାରର ବିବାହ ବିଷୟରେ ଉଲ୍ଲେଖ କରା ଯାଇଛି । ଯେଉଁଥିରେ ୫ ପ୍ରକାରର ବିବାହକୁ ବହୁତ ଅଶୁଭ ବୋଲି କୁହାଯାଇଛି । ବ୍ରହ୍ମ, ଦୈବ, ଆର୍ଶ, ପ୍ରାଜାପତ୍ୟ, ଅସୁର, ଗନ୍ଧର୍ବ, ରାକ୍ଷସ ଓ ପିଶାଚ ଆଠ ପ୍ରକାର ବିବାହ ଗୁଡିକର ନାମ ଅଛି । ଏହି ୮ ପ୍ରକାରର ବିବାହରେ ବ୍ରହ୍ମ ବିବାହ ସବୁଠୁ ଉତ୍ତମ ଅଟେ । ଏହି ୮ ଟି ବିବାହ କଣ ହୋଇଥାଏ ଓ ଏହି ବିବାହ ଗୁଡିକର କଣ ବିଶେଷତ୍ତ୍ଵ ଥାଏ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ।
ବ୍ରହ୍ମ ବିବାହ
ବ୍ରହ୍ମ ବିବାହକୁ ଦୁଇ ପକ୍ଷଙ୍କର ସହମତି ପରେ ହିଁ କରାଯାଇଥାଏ । ଏହି ବିବାହକୁ ପୁରା ବୈଦିକ ନୀତି ନିୟମ ଅନୁସାରେ ହିଁ କରାଯାଇଥାଏ । ଏହି ବିବାହକୁ ଅନ୍ୟ ସମସ୍ତ ବିବାହ ଠାରୁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ ।
ଦେବ ବିବାହ
ଏହି ବିବାହରେ ଋତ୍ୱିଜକୁ ବର ରୂପରେ ବଛା ଯାଇଥାଏ । ଏହା ପରେ ଏହାକୁ କନ୍ୟା ପକ୍ଷ ତରଫରୁ ଆଭୁଷଣ ଭେଟ କରି କନ୍ୟା ହାତରେ ଦିଆ ଯାଇଥାଏ । ଏହି ପ୍ରକାରର ବିବାହକୁ ଦେବ ବିବାହ ନାମରେ ଜଣାଯାଏ ।
ଆର୍ଶ ବିବାହ
ଏହି ପ୍ରକାରର ବିବାହରେ ବର ପକ୍ଷ ତରଫରୁ କନ୍ୟା ପକ୍ଷକୁ ଆଭୁଷଣ ଓ ଗାଈ – ବଳଦ ଦିଆଯାଇଥାଏ । ଉପହାର ମିଳିବା ପରେ କନ୍ୟାର ବିବାହ ବର ସହିତ ପରମ୍ପରା ଅନୁସାରେ କରି ଦିଆଯାଏ । କହିବାକୁ ଗଲେ ପ୍ରାଚୀନ କାଳରେ ଲୋକମାନେ ଚାଷ କରୁଥିଲେ ସେଥିପାଇଁ ସେହି ସମୟରେ ଗାଈ – ବଳଦକୁ ଉପହାର ସ୍ୱରୂପ ଦିଆ ଯାଉଥିଲା । ଯଦି ସହଜ ଶବ୍ଦରେ କୁହାଯାଏ ତେବେ ଆର୍ଶ ବିବାହରେ କନ୍ୟା ପକ୍ଷକୁ କନ୍ୟାର ମୂଲ୍ୟ ଦେଇ କନ୍ୟା ସହ ବିବାହ କରାଯାଉଥିଲା ।
ପ୍ରଜାପତ୍ୟ ବିବାହ
ଏହିଭଳି ବିବାହରେ କନ୍ୟାର ମାତା ପିତା ଦ୍ଵାରା ବିବାହ ଠିକ କରାଯାଏ ଓ ଏହି ବିବାହରେ କନ୍ୟାର ସହମତି ନିଆ ଯାଇ ନ ଥାଏ । ଏହି ବିବାହ ଧନବାନ ଓ ପ୍ରତିଷ୍ଠିତ ବର ସହ କରାଯାଇଥାଏ । ଅନ୍ୟ ଅର୍ଥରେ କହିଲେ ଟଙ୍କାର ଲୋଭରେ ମାତା ପିତା ନିଜର କନ୍ୟାର ବିବାହ ଜବରଦସ୍ତି କୌଣସି ବି ଧନବାନ ପୁଅ ସହିତ କରି ଦେଇଥାନ୍ତି ।
ଗନ୍ଧର୍ବ ବିବାହ
ଏହି ବିବାହକୁ ପ୍ରେମ ବିବାହ କୁହାଯାଏ । ଏହି ବିବାହରେ ପରିବାର ର ସହମତି ବିନା ବର ଓ କନ୍ୟା ବିବାହ କରି ନିଅନ୍ତି ।
ଅସୁର ବିବାହ
ଅସୁର ବିବାହରେ କନ୍ୟାକୁ କ୍ରୟ କରାଯାଇଥାଏ ଓ ତାହା ସହିତ ବିବାହ କରାଯାଏ । ତାକୁ ଅସୁର ବିବାହ କୁହାଯାଏ । ଆଜି ବି ଭାରତର କେତେକ ସ୍ଥାନ ଅଛି ଯେଉଁଠି ଗରିବ ଘରର କନ୍ୟାମାନଙ୍କର ମାତା ପିତାକୁ ଟଙ୍କା ଦେଇ ବିବାହ କରାଯାଉଛି ।
ରାକ୍ଷସ ବିବାହ
ଏହିଭଳି ବିବାହରେ କନ୍ୟାକୁ ଅପହରଣ କରାଯାଇ ତାହା ସହିତ ଜବରଦସ୍ତି ବିବାହ କରାଯାଇଥାଏ । ପ୍ରାଚୀନ କାଳରେ ଯେତେବେଳେ ରାଜା ଯୁଦ୍ଧ ହାରି ଯାଉଥିଲେ, ତେବେ ଜିତିଥିବା ରାଜା ହାରି ଥିବା ରାଜାର ପତ୍ନୀ କିମ୍ବା ଝିଅମାନଙ୍କ ସହିତ ଜବରଦସ୍ତ ବିବାହ କରିଥାଏ ଓ ଏହିଭଳି ବିବାହକୁ ରାକ୍ଷସ ବିବାହ କୁହାଯାଏ ।
ପିଶାଚ ବିବାହ
ଏହିଭଳି ବିବାହରେ କନ୍ୟା ସହ ଶାରୀରିକ ସମ୍ବନ୍ଧ କରିବା ପରେ ତାହା ସହିତ ବିବାହ କରାଯାଇଥାଏ । ଏହା ଛଡା ଏଥିରେ କନ୍ୟାର ପରିଜନମାନଙ୍କର ହତ୍ୟା ବି କରି ଦିଆଯାଏ । ଏହି ବିବାହକୁ ସମସ୍ତ ୮ ପ୍ରକାରର ବିବାହ ମଧ୍ୟରୁ ସବୁଠୁ ଖରାପ ବିବାହ କୁହାଯାଏ ।