
ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ହୋଇସାରିଛି ଲଘୁଚାପ । ଏହାର ପ୍ରଭାବରେ ଶନିବାର ତଥା ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୩ ଯାଏଁ ରାଜ୍ୟର କିଛି ସ୍ଥାନରେ ଏହି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଉତ୍ତର ପୂର୍ବ ପାଶ୍ୱବର୍ତ୍ତୀୟ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ବୋଲି କୁହାଯାଇଛି । ଲଘୁଚାପ ଘନୀଭୂତ ହେବା ପରେ ଉତ୍ତର ଓଡିଶା ସହ ପଶ୍ଚିମବଙ୍ଗ ଆଡକୁ ମୁହାଁଇପାରେ । ଲଘୁଚାପ ଯୋଗୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୩ ଦିନ ପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
୩୦ ତାରିଖ ଅର୍ଥାତ ଆଜି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୨ ଓ ୩ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।