
ନୂଆଦିଲ୍ଲୀ: ମୋଦି ସରକାର ବୁଧବାର ୱାକଫ ବୋର୍ଡ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଆଗତ କରିଛନ୍ତି | ଏହି ବିଲକୁ ନେଇ ସଂସଦରେ ହଂଗାମା ଦେଖିବାକୁ ମିଳିଛି | ଏହି ସଂଶୋଧନ ବିଲକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ |
ଏହାପରେ ଅଳ୍ପସଂଖ୍ୟକ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଏହି ବିଲ ଆଣିବାର ଆବଶ୍ୟକତା ରହିଛି | ବିରୋଧୀଙ୍କୁ ସମର୍ଥନ କରିବା ପାଇଁ ଗୁହାରି କରି ରିଜିଜୁ କହିଥିଲେ, ଏହି ବିଲକୁ ସମର୍ଥନ କରନ୍ତୁ, କୋଟି କୋଟି ଲୋକଙ୍କ ଆଶୀର୍ବାଦ ମିଳିବ | ୱାକଫ ବୋର୍ଡକୁ ଅଳ୍ପ କିଛି ଲୋକ ନିଜ କବ୍ଜାକୁ ନେଇଯାଇଛନ୍ତି | ସାଧାରଣ ମୁସଲିମଙ୍କୁ ନ୍ୟାୟ ଦେବା ପାଇଁ ଏହି ବିଲ ଆସିଛି | କିଏ ଏହି ବିଲକୁ ସମର୍ଥନ କରୁଛି, କିଏ ବିରୋଧ କରୁଛି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ | ରିଜିଜୁ କହିଥିଲେ, ଯେଉଁମାନଙ୍କୁ ଅଧିକାର ମିଳୁନି ଅର୍ଥାତ, ମହିଳା, ଶିଶୁ, ପଛୁଆ ମୁସଲିମଙ୍କୁ ଅଧିକାର ଦେବା, ନ୍ୟାୟ ଏହି ଦେବା ବିଲର ଉଦ୍ଦେଶ୍ୟ |
ଏଠି କହିରଖିବୁ, ଏହି ସଂଶୋଧନ ବିଲରେ ୪୦ଟି ପରିବର୍ତ୍ତନ ପାଇଁ ଦାବି କରାଯାଇଛି | 1995ର ୱାକଫ ଆକ୍ଟର ନାମକୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଆଇନ 1995 ରଖାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି | ବିଲରେ ଆହୁରି କୁହାଯାଇଛି, ୧୯୯୫ ଏବଂ ୨୦୧୩ ଆଇନ ସତ୍ତ୍ୱେ ୱାକଫ ବୋର୍ଡର କାର୍ଯ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେଉ ନାହିଁ | ତେଣୁ ସଂଶୋଧନର ଆବଶ୍ୟକତା ରହିଛି |