 
        ନୂଆଦିଲ୍ଲୀ:”ମା’ ମୁଁ ହାରିଗଲି | କୁସ୍ତି ମୋଠାରୁ ଜିତିଗଲା | ମୋତେ କ୍ଷମା କରିବ ମା’ | ତୁମର ସ୍ବପ୍ନ ଏବଂ ମୋର ସାହସ ସବୁ ଭାଙ୍ଗି ଚୁରମାର ହୋଇଗଲା | ଏହାଠାରୁ ଅଧିକ ଶକ୍ତି ମୋ ପାଖରେ ନାହିଁ..” ଉଜୁଡା ସ୍ବପ୍ନ ଆଉ ଭଙ୍ଗା ହୃଦୟକୁ ଧରି ଠିଆ ହେବାକୁ ଚେଷ୍ଟା କରୁଥିବା ଏଇ ଝିଅର ଭାବ ବିହ୍ଵଳ ଚିଠି ପୁଣି ଥରେ କୋଟି କୋଟି ଚକ୍ଷୁଯୁଗଳକୁ ଓଦା କରି ଦେଇଛି | ମାତ୍ର ୧୦୦ ଗ୍ରାମର ଓଜନ ଯେମିତି ମୁଣ୍ଡ ଉପରେ ଆକାଶକୁ ଲଦି ଦେଇଛି | ପାଦ ତଳୁ ମାଟି ଖସାଇ ଦେଇଛି | ତଥାପି ନିଜ ପାଇଁ ବଳ ଯୋଗାଡ଼ କରିଛନ୍ତ ..ପୁଣି ଥରେ ଛିଡା ହେବାକୁ ଚେଷ୍ଟା କରୁଛନ୍ତି |
ଏ ସଂଘର୍ଷ ହେଉଛି ଭାରତୀୟ ଆଥଲେଟ ଭିନେଶ ଫୋଗାଟଙ୍କର | ୬ ମାସର ତପସ୍ୟା, ଗୋଟିଏ ରାତିର ଲହୁଲୁହାଣ ସଂଘର୍ଷକୁ ପାଣିରେ ପକେଇଦେଲା ମାତ୍ର ୧୦୦ ଗ୍ରାମ ଓଜନ | ଏଥିରେ ଭିନେଶଙ୍କର କୋଉଠି କିଛି ତ୍ରୁଟି ନାହିଁ | ଅଲମ୍ପିକର ଏହି କଠୋର ନିୟମ ପାଖରେ ସମସ୍ତେ ଅସହାୟ |
ହେଲେ ଅନେକ ସମୟରେ ବିଜୟ ଉପରେ ଭାରି ପଡ଼ିଯାଏ ପରାଜୟ | ଭିନେଶଙ୍କ ସହ ଠିକ ସେମିତି ହିଁ ଘଟିଛି | ହାରି କି ବି ସାରା ବିଶ୍ୱବାସୀଙ୍କ ହୃଦୟ ଜିତି ଯାଇଛନ୍ତି | ହୁଏତ ଅଲମ୍ପିକ ବିଜେତା ତାଲିକାରୁ ତାଙ୍କ ନାଁ କଟିଯିବ..କିନ୍ତୁ ୧୦୪ କୋଟି ହୃଦୟରେ ଏହି ସୁନା ଝିଅର ସଫଳତା ସବୁ ଦିନ ପାଇଁ ରହିଯିବ | କେହି ଏକଥା ଭୁଲିବେନି, ଏଇ ମାଟିର ଝିଅ ୮୨ଟି ମଲ୍ଲଯୁଦ୍ଧରେ ଅପରାଜେୟ ରହି ଆସିଥିବା ବିଶ୍ୱ ଓ ଅଲମ୍ପିକ ଚମ୍ପିୟାନ ଜାପାନୀ ଯୋଦ୍ଧ ୟୁଇ ଶୁଶାକିଙ୍କୁ ମାତ ଦେଇଛନ୍ତି | ରୌପ୍ୟ ବା ସ୍ଵର୍ଣ ଜିତି ଫେରିଥିଲେ ଭିନେଶଙ୍କୁ ଯେତିକି ଶ୍ରଦ୍ଧା, ସମ୍ମାନ ଓ ଭଲପାଇବା ମିଳିଥାନ୍ତା ତାଠାରୁ ଢେର ଅଧିକ ଭଲପାଇବା ଭାରତ ତାଙ୍କ ପାଇଁ ସାଇତି ରଖିଛି | ସରକାର ବି ଘୋଷଣା କରିଛନ୍ତି ତାଙ୍କୁ ରୌପ୍ୟ ବିଜେତାର ସମ୍ମାନ, ସୁବିଧା ମିଳିବ |
ଏକ୍ସରେ ନିଜ ଦୁଃଖ ଆଉ ଅବସାଦକୁ ଲେଖି ସବୁଦିନ ପାଇଁ କୁସ୍ତିକୁ ବାଏ ବାଏ କରିଛନ୍ତି ଭିନେଶ | ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ କ୍ଷମା ବି ମାଗି ନେଇଛନ୍ତି |
ଆମେ ବୁଝି ପାରୁଛୁ… ଏ ଦୁଃଖଦ ମୁହୂର୍ତ୍ତକୁ ସାମ୍ନା କରିବା ଖୁବ କଷ୍ଟ ଏମିତି ଅଭିମାନଭରା ନିଷ୍ପତ୍ତି ନେବା ବି ସେତିକି କଷ୍ଟ | ତୁମେ ଅଲମ୍ପିକରେ ପରାଜିତ ହୋଇପାର, କିନ୍ତୁ ଏ ଭାରତ ମାଟିରେ ତୁମେ ଅପରାଜେୟ | କୁସ୍ତି ଛାଡି ଦେଇପାର ପାର, କିନ୍ତୁ କୁସ୍ତି ଇତିହାସରେ ତୁମେ ଏକ ମାଇଲଖୁଣ୍ଟ ହୋଇ ରହିବ | ପ୍ରେରଣା ହୋଇ ରହିବ |
 
         
         
         
         
        