ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଅଦଳବଦଳ ପ୍ରକ୍ରିୟା l ନିକଟରେ ବିଜେଡିର ଅନେକ ନେତା ଶଙ୍ଖ ଛାଡି ପଦ୍ମ ଶିବିରରେ ଯୋଗ ଦେଉଥିବା ବେଳେ ଆଜି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଶଙ୍ଖ ଧରିଛନ୍ତି l ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ବିଜୟ ମହାପାତ୍ରଙ୍କ ପୁଅ ସାମିଲ ହେଲେ। ଶତାଧିକ କର୍ମୀଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ ।
ହେଲେ ବିଜେଡି ସହ ସମ୍ପର୍କ ତିକ୍ତତା ପରେ ବିଜୟ ବିଜେପିରେ ମିଶିଥିଲେ। ଏବେ ବିଜେପି ସହ ବି ଅଲଗା ହେବା ପରେ ତାଙ୍କ ପୁଅ ବିଜେଡିରେ ମିଶିଛନ୍ତି। ଅରବିନ୍ଦ ବିଜେଡି ରେ ମିଶିବା ସହ କହିଛନ୍ତି ଯେ “ପାଟକୁରାର ବିକାଶକୁ ଆଗକୁ ନେବି”। ଆଶା କରୁଛି ନବୀନବାବୁଙ୍କ ଆଶୀର୍ବାଦ ମୋ ଉପରେ ରହିବ।କିଛି ଦିନ ତଳେ ନଳିନୀ ମହାନ୍ତିଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିଛନ୍ତି। ବିଜୁ ବାବୁଙ୍କ ଅମଳର କେନ୍ଦ୍ରାପଡ଼ା ଜିଲ୍ଲାର ନେତାଙ୍କ ପର ପିଢ଼ି ମାନେ ଏବେ ଗୋଟେ ପରେ ଗୋଟେ ବିଜେଡିରେ ମିଶୁଛନ୍ତି। ଯାହା କେନ୍ଦ୍ରାପଡ଼ା ରାଜନୀତିରେ କିଛି ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି।
ଏହାରି ମଧ୍ୟରେ କାଲିଠୁ ରାଜ୍ୟରେ ମେଣ୍ଟ ସରକାର ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ ହୋଇଛି। ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି ।