ଭୁବନେଶ୍ଵର: ଗିରଫ ହେଲେ କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବା ବେଳେ ଘରୁ ୨ କେଜି ୧୦୦ ଗ୍ରାମ ସୁନା ସହ ୧୭ ଲକ୍ଷ ଟଙ୍କା ଠାବ କରିଥିଲା ଭିଜିଲାନ୍ସ ।
ସୂଚନା ଅନୁସାରେ, ଶ୍ରୀ ମହାନ୍ତିଙ୍କ ମୈତ୍ରୀବିହାର ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୩ ସୁନା ବିସ୍କୁଟ ଓ ଅନ୍ୟାନ୍ୟ ଦାମୀ ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ । ଏଥିସହ ଚଢ଼ାଉ ବେଳେ ଘରୁ ପୁଳା ପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା ବାହାରିଥିଲା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଜଳକା ହୋଇଯାଇଥିଲା । ଏପରି ଲାଗୁଥିଲା ଯେପରି ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସୁନା, ରୁପା ଓ ହୀରାର ଭଣ୍ଡାର ଖୋଲିଛି ! ଚଢାଉ ବେଳେ କଟକ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ ।
ରେଡ୍ ବେଳେ ୪ ବହୁତଳ କୋଠା ସହ, ୧୧ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ । ତେବେ ଭୁବନେଶ୍ବର, ଖୋର୍ଦ୍ଧା, ପୁରୀରେ ଅଛି ୪ଟି ବହୁତଳ କୋଠା, ଭୁବନେଶ୍ବର ରଘୁନାଥପୁରରେ ଏକ ଫ୍ଲାଟ୍ ପାଇଁ ଦେଇଛନ୍ତି ୧ କୋଟି ଟଙ୍କା । ସେହିପରି ବାବୁଙ୍କର ନୟାଗଡ଼ କୁଶପଲ୍ଲାରେ ୧୪ ଏକରରେ ଏକ ଫାର୍ମ ହାଉସ୍ ଅଛି । ଭୁବନେଶ୍ବର, ଖୋର୍ଦ୍ଧା, ରଣପୁର ଓ ନୟାଗଡ଼ରେ ୧୧ ପ୍ଲଟ୍ ଥିବା ବେଳେ ଚଢାଉ ବେଳେ ନଗଦ ୧୫ ଲକ୍ଷ ଟଙ୍କା ସହ ୭୦୦ ଗ୍ରାମ୍ର ୩ଟି ସୁନା ବିସ୍କୁଟ୍, ବିପୁଳ ସୁନା ରୂପା ଅଳଙ୍କାର ଓ ୩ଟି ୪ ଚକିଆ ଗାଡ଼ି ଠାବ ହୋଇଥିଲା ।