
ଭୁବନେଶ୍ଵର: କଂଗ୍ରେସକୁ ଫେରିଲେ ସୁର ରାଉତରାୟ। ଦୀର୍ଘ ୯ମାସର ନିଲମ୍ବନ ହଟିବା ପରେ ଏବେ ସୁରଙ୍କ ଘର ବାହୁଡା ହୋଇଛି । ଘରକୁ ଫେରି ଭାବ ବିହ୍ଵଳ ହୋଇପଡିଥିଲେ ସୁର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲା ବେଳେ କାନ୍ଦି ପକାଇଥିଲେ ସୁର ରାଉତରାୟ । ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୁର ରାଉତରାୟ କହିଛନ୍ତି, ଘରକୁ ଫେରି ମୁଁ ବହୁତ ଖୁସି । ମୋତେ ଅନ୍ୟାୟରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା କରୁଥିଲି । କଂଗ୍ରେସକୁ ଆମେ ଏକାଠି କରିବା । ରାହୁଲ ଗାନ୍ଧୀଙ୍କୁ ଆଗରେ ରଖି ଆମେ ମାଡି ଚାଲିବା । ଭକ୍ତ ଦାସଙ୍କୁ ପିସିସି କରି ବହୁତ ଭଲ କାମ କରିଛି ଏଆଇସିସି । ଗତ ୯ ମାସ ହେବ ମୁଁ ଯନ୍ତ୍ରଣା ଭୋଗିଛି । ହେଲେ ସଂଗଠନ ଛାଡିନି । ଲୋକ ସମ୍ପର୍କ ରହିଛି ରହିବ ବୋଲି କହିଛନ୍ତି ସୁର । ଏଥିସହ ବଡ ପୁଅ ସାନପୁଅଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସୁର ।
କହିରଖୁଛୁ ଯେ, ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସ ଯେକୌଣସି କାରଣରୁ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ପୁଣି ଥରେ ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି । ଯାହାପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା ହୋଇଛି । ସୁରଙ୍କ ଉପରୁ ୯ ମାସ ପରେ ନିଲମ୍ବନ ହଟାଇଛନ୍ତି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ । ଯେଉଁଥିପାଇଁ ଭାବବିହ୍ଵଳ ହୋଇପଡିଛନ୍ତି ସୁର ।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ସାନପୁଅ ସାନପୁଅ ବିଜେଡିରୁ ଟିକେଟ ପାଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଲା । ସାନପୁଅ ପାଇଁ ସୁର ପ୍ରଚାର କରୁଥିବା ଜାଣି କଂଗ୍ରେସ ତାଙ୍କୁ ନିଲମ୍ବନ କରିଥିଲା । ହେଲେ ନିଲମ୍ବନ ପରେ ବି ସେ ଦଳ ଛାଡ଼ିନଥିଲେ । ସବୁବେଳେ କଂଗ୍ରେସ ସହ ଅଛି ଓ କଂଗ୍ରେସରେ ହିଁ ମରିବି ବୋଲି କହୁଥିଲେ ସୁର ।