ଭୁବନେଶ୍ଵର; ଭୁବନେଶ୍ଵରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର । ଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିଛି ବର୍ଷିୟାନ ଅଭିନେତା ତଥା ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ମର ଶରୀର ପହଞ୍ଚିବା ପରେ ଜଗନ୍ନାଥ ବିହାରକୁ ନିଆଯାଇଛି । ଅଭିନେତା ଉତ୍ତମଙ୍କ ମର ଶରୀର ନେଇ ପୁଅ ବାବୁଶାନ ଓ ବୋହୂ ତୃପ୍ତି ଓଡିଶା ଫେରିଛନ୍ତି । ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଉତ୍ତମଙ୍କ ମରଶରୀର ପହଞ୍ଚିବା ପରେ ସେଠାରେ ଶେଷ ଦର୍ଶନ କରିବେ ବହୁ ସିନେ କଳାକାର ଓ ବିଶିଷ୍ଟ ବ୍ଯକ୍ତି । ଶେଷ ଦର୍ଶନ ପାଇଁ ୩ରୁ ୪ ଘଣ୍ଟା ସମୟ ନିର୍ଦ୍ଧାରଣ କରାଯାଇଛି । ଅପଗାହ୍ନରେ ସତ୍ଯନଗର ଶ୍ମଶାନରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହେବ ବୋଲି ଜଣା ପଡିଛି ।
ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଉତ୍ତମଙ୍କ ବିୟୋଗରେ ଓଲିଉଡ୍ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଉତ୍ତମ ଚିରବିଦାୟ ନେଇଯାଇଛନ୍ତି |