ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବା ପାଇଁ ରାସ୍ତା ପରିସ୍କାର ହୋଇଛି । ଆମେରିକା ସୁପ୍ରିମକୋର୍ଟରେ ତହବୁର କରିଥିବା ଆବେଦନ ଖାରଜ ହେବା ପରେ ତହବୁର ରାଣାକୁ ଭାରତ ଆଣିବା ଉପରେ ଥିବା ପ୍ରତିବନ୍ଧକ ହଟିଛି । ତହବୁର ରାଣାକୁ ଭାରତ ପ୍ରତ୍ୟାର୍ପଣ ନକରିବାକୁ ଆମେରିକା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
ସୂଚନା ଅନୁସାରେ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ମୁମ୍ବାଇ ଆତଙ୍କୀ ହମଲାର ଅଭିଯୁକ୍ତ ତହବୁର ରାଣା ତତ୍କାଳ ପ୍ରତ୍ୟର୍ପଣ ନିଷ୍ପତ୍ତି ଉପରେ ରୋକ ଲଗାଇବାକୁ ଦାବି କରିଥିଲା। ସେ ତା’ର ଆବେଦନରେ କହିଥିଲା ଯେ ଭାରତରେ ତା’କୁ ଭୟଙ୍କର ନିର୍ଯାତନା ଦିଆଯିବାର ଆଶଙ୍କା ରହିଛି। ସେ ପାକିସ୍ତାନୀ ମୁସଲିମ ହୋଇଥିବାରୁ ନିର୍ଯାତନା ଦିଆଯିବାର ଆଶଙ୍କା ଅଧିକ। ଲସ ଆଞ୍ଜେଲସ ଜେଲରେ ଥିବା ୬୩ ବର୍ଷୀୟ ରାଣା କହିଛି ଯେ ସେ ଏବେ ଏକାଧିକ ରୋଗରେ ପୀଡ଼ିତ। ତା’ର ହୃଦରୋଗ ଥିବା ବେଳେ ପାର୍କିସନ ସମସ୍ୟା ରହିଛି। ସେ ବ୍ଲାଡର କର୍କଟରେ ମଧ୍ୟ ଆକ୍ରାନ୍ତ ହୋଇପାରେ। ସେ ସମ୍ଭବତଃ ଭାରତରେ ଶୁଣାଣିରେ ସମ୍ମୁଖୀନ ହେବାକୁ ଜୀବିତ ରହି ପାରିବ ନାହିଁ। ଭାରତରେ ରାଣାକୁ ତା’ର ନାଗରିକତା, ଧର୍ମ ଆଧାରରେ ଟାର୍ଗେଟ କରାଯାଇ ପାରେ ବୋଲି ଆବେଦନର ଦର୍ଶାଯାଇଥିଲା । ଯାହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।
ତହବୁର ରାଣା ପାକିସ୍ତାନର ମୂଳ ବାସିନ୍ଦା । କିନ୍ତୁ ସେ କାନାଡାର ନାଗରିକତା ପାଇଛନ୍ତି । ଏବେ ସେ ଲସ୍ ଏଞ୍ଜେଲସର ଏକ ଜେଲରେ ବନ୍ଦୀ ଅଛନ୍ତି । ତାଙ୍କୁ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଡେଭିଡ୍ ହେଡଲୀଙ୍କ ନିକଟତର ବୋଲି କୁହାଯାଏ । ଡେଭିଡଙ୍କୁ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କୁହାଯାଉଛି । ଏହି ଆକ୍ରମଣରେ ୧୭୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପାଖାପାଖି ଗୋଟିଏ ବର୍ଷ ପରେ ରାଣାକୁ ଚିକାଗୋରେ ଏଫବିଆଇ ଗିରଫ କରିଥିଲା ।