ଲକ୍ଷ୍ନୌ: ବେଳେ ବେଳେ ମଣିଷ ଅଧିକ ଖୁସି ହେଇଗଲେ ତା’ର ଆଖିରୁ ଲୁହ ଆସିଯାଏ । କିନ୍ତୁ ବେଳେ ବେଳେ ପରିସ୍ଥିତି ଏମିତି ହୁଏ ଯେ ନିଜ ଖୁସିକୁ ନିଜ ଭିତରେ ସମ୍ଭାଳି ପାରେନି ମଣିଷ । ଆଉ ଶେଷରେ ମୃତ୍ୟୁର ଦ୍ଵାର ଦେଶରେ ପହଞ୍ଚିଯାଏ । ଉତ୍ତର ପ୍ରଦେଶ ବରେଲିରୁ ଏବେ ସାମ୍ନାକୁ ଆସିଛି ଏକ ଏମିତି ଦୃଶ୍ୟ । ଆଉ ଯାହାକୁ ଦେଖି ଲୋକେ କହୁଛନ୍ତି ଏମିତି ବି ଆସେ ମୃତ୍ୟୁ ।
ବାସ୍ତବରେ ଉତ୍ତର ପ୍ରଦେଶର ବରେଲିର ଜଣାଶୁଣା ବ୍ୟବସାୟୀ ବସିମ ନିଜ ବିବାହର ୨୫ ବର୍ଷ ପୂର୍ତ୍ତି ଅର୍ଥାତ୍ ସିଲଭର ଜୁବିଲି ପାଳନ କରୁଥିଲେ। ପିଲିଭିଟ୍ ବାଇପାସ୍ ନିକଟରେ ଥିବା ଏକ ମ୍ୟାରେଜ୍ ଲନରେ ଏହି ସମାରୋହ ଚାଲିଥିଲା। ସମସ୍ତଙ୍କ ମୁହଁରେ ହସ ଓ ଆନନ୍ଦର ଝଲକ ଥିଲା। କିନ୍ତୁ କିଏ ଜାଣିଥିଲା ଯେ ଏହି ଖୁସି ଏତେ ଶୀଘ୍ର ଲୁହରେ ଭିଜିଯିବ। ବସିମ ଓ ତାଙ୍କ ପତ୍ନୀ ଫରାହ ନାଚୁଥିଲେ, ଚାରିଆଡ଼େ ତାଳି ଓ ହସଖୁସିର ଶବ୍ଦ ଗୁଞ୍ଜରି ଉଠୁଥିଲା। କିନ୍ତୁ ସେହି ସମୟରେ ଏପରି କିଛି ଘଟିଲା ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ପାଡ ତଳୁ ମାଟି ଧସେଇଦେଇଥିଲା ।
ଉତ୍ସବର ମଝିରେ ବସିମ ହଠାତ୍ ନାଚି ନାଚି ତଳେ ପଡ଼ିଗଲେ। ପ୍ରଥମେ ସମସ୍ତେ ଭାବିଲେ ଏହା ନାଚର ଏକ ଅଂଶ ହୋଇପାରେ। କିନ୍ତୁ ସେ ଉଠି ନପାରିବାରୁ ଚାରିଆଡ଼େ ହଟଚଟ ଲାଗିଗଲା। ପରିବାର ଓ ଅତିଥିମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ଅଚେତ ହୋଇ ପଡ଼ି ରହିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। କିନ୍ତୁ ଡାକ୍ତର ସେଠାରେ ବସିମଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ମୃତ୍ୟୁର କାରଣ ହାର୍ଟ ଆଟାକ୍ ବୋଲି କହିଥିଲେ ଡାକ୍ତର । ଯାହାକୁ ଶୁଣି ସମସ୍ତଙ୍କ ମନରୁ ଖୁସି ଉଭେଇଯାଇଥିଲା ।