
ବରଗଡ: କୁହାଯାଏ ମାନଅଭିମାନର ବାଡ଼କୁ ଭାଙ୍ଗୁଥିବା ପର୍ବର ନାଁ ହୋଲି । ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ଭିନ୍ନ ଭିନ୍ନ ଢଙ୍ଗରେ ଖେଳିବାର ମାନ୍ୟତା କାହିଁ କେଉଁ କାଳରୁ ରହିଆସିଛି । ଆଉ ଏଥିପାଇଁ କିଏ କେଉଁଠି ରଙ୍ଗୋଲି ଗୀତ ଗାଇଲାଣି ତ ଆଉ କିଏ ରଙ୍ଗ ବରସେ ଗୀତରେ ନାଚି ପରସ୍ପରକୁ ବିଭିନ୍ନ ରଙ୍ଗର ଫଗୁରେ ରଙ୍ଗେଇ ଦେଲେଣି । ସରବତ , ଥଣ୍ଡାପାନୀୟର ଆସର ଭିତରେ ପିଚକାରୀ ମାରି ଭିଜାଇବାର ମଜା ନେଲେଣି ଲୋକେ । ତେବେ ଆମ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସୀମାରେ ହୋଲି ଖେଳର ଏକ ଅନନ୍ୟ ପରମ୍ପରା ରହିଛି । ପ୍ରତିବର୍ଷ ଏଠାରେ ହରିହରଭେଟ୍ ବହୁ ହର୍ଷଉଲ୍ଲାସରେ ପାଳିତ ହୋଇଥାଏ ।
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ରୁଚିଦା ପଞ୍ଚାୟତ ବଡ଼ଧରା ଏବଂ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲା ସରିଆ ଥାନା ଅନ୍ତର୍ଗତ ବଡ଼େନୂଆଁପରା ଗାଁରେ ଏହି ଅନନ୍ୟ ପରମ୍ପରା ଅନୁଷ୍ଠିତ ହୋଇଥାଏ । ପ୍ରେମ ଓ ଭାଇଚାର ବାର୍ତ୍ତା ବହନ କରୁଥିବା ଏହି ପରମ୍ପରା ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ କୋଳାକୋଳି, ଜୁହାରଭେଟ ପରିବେଶକୁ ଆହୁରି ମୁଖରିତ କରିତାଏ । ଛତିଶଗଡ଼ ରାଜ୍ୟରୁ ବୃଷଭ ବାହନ ସୁସଜ୍ଜିତ ରଥରେ ମହାଦେବ ହର ଓ ଓଡ଼ିଶା ରାଜ୍ୟରୁ ଗରୁଡ଼ ବାହନ ସୁସଜ୍ଜିତ ରଥରେ ବିଷ୍ଣୁ ଭଗବାନ ଏକାସଂଗେ ଘଣ୍ଟ ଶଙ୍ଖ, ମୃଦଙ୍ଗର ତାଳେ ତାଳେ ଭବ୍ୟ ଶୋଭାଯାତ୍ରାରେ ସୀମାନ୍ତବର୍ତ୍ତୀ ଦୌଳତଟିକ୍ରାକୁ ପହଞ୍ଚନ୍ତି ।
ପଡ଼ୋଶୀ ରାଜ୍ୟର ଅନେକ ଲୋକ ମଧ୍ୟ ଉତ୍ସବର ପରିଚାଳନା କାର୍ଯ୍ୟର ନେତୃତ୍ଵ ନେଇଥାନ୍ତି । କିରଖୁଛୁ ଯେ, ସ୍ବାଧୀନତା ପୂର୍ବରୁ ୧୯୨୭ ମସିହାରେ ଛତିଶଗଡ଼ ରାଜ୍ୟର ବଡ଼େନୂଆଁପରା ଗାଁର ଜାଗେଶ୍ବର ସାହା ଓ ଓଡ଼ିଶା ରାଜ୍ୟ ବଡ଼ଧରା ଗାଁର ତ୍ରିଲୋଚନ ପଧାନଙ୍କ ବନ୍ଧୁତ୍ବ ସୁଦୃଢ଼ ରଖିବା ପାଇଁ ଉଭୟ ଗୌନ୍ତିଆ ମାନସିକ ରଖି ଦୌଳତଟିକ୍ରା ନାଳା ପାଖରେ ପ୍ରଥମ ଉଦ୍ୟୋକ୍ତା ଭାବେ ହରିହରଭେଟ୍ ଆୟୋଜନ କରିଥିଲେ ।