ଭୁବନେଶ୍ଵର: ଲୋକପ୍ରିୟ ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେବା ସହ ଅପରାଜିତା ମହାନ୍ତି, ବାବୁସାନଙ୍କ ସମେତ ପରିବାରଙ୍କୁ ଭେଟିଛନ୍ତି ଧର୍ମେନ୍ଦ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉତ୍ତମ ମହାନ୍ତିଙ୍କ ଜୀବନବ୍ୟାପୀ ସାଧନା ଓ କୃତି ପାଇଁ ସେ ଓଡ଼ିଆ ଜନମାନସରେ ଚିର ଅମର ହୋଇ ରହିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କହିରଖୁଛୁ ଯେ, ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ଲୀନ ହୋଇଥିଲେ ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ ।
ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। ୧୯୭୭ ମସିହାରେ ‘ଅଭିମାନ’ ରିଲିଜ୍ ହୋଇଥିଲା ଓ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା। ତା’ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେ ୧୩୫ଟି ଓଡ଼ିଆ ଫିଲ୍ମରେ କାମ କରିଛନ୍ତି।ସେ କିଛି ଟେଲି ଫିଲ୍ମ ଓ ଧାରାବାହିକରେ ମଧ୍ୟ କାମ କରିଛନ୍ତି। ଧାରାବାହିକ ‘ସାରା ଆକାଶ’ରେ ତାଙ୍କର ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଥିଲା। ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା ଓ ସୁନା ଚଢ଼େଇ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ‘ତୋ ବିନୁ ଅନ୍ୟଗତି ନାହିଁ’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୯୯ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା।

