ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ହେବାର ମଧ୍ୟ ସୂଚନା ମିଳିଛି ।
୧୫ ବର୍ଷ ପରେ ପୁଣି ହେବ କି ମେଣ୍ଟ? ରାଜନୀତିକୁ ଫେରିବେ ବିଜେପି-ବିଜେଡି ! କେମିତି ରହିବ ସିଟ୍ ସମୀକରଣ?
ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହିକ୍ରମରେ ଏବେ ବିଜେପି କେନ୍ଦ୍ରୀୟ ନେତୃବନ୍ଦ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ତଳେ ରାଜ୍ୟ ବିଜେପି ପ୍ରଭାରୀ ଓଡିଶା ଆସିଥିଲେ । ଏପିରିକି ବୁଧବାର ଦିନ ଓଡିଶାର ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ବିଜେପି ନେତାଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା ।
ସେହିପରି ଅନ୍ୟପଟେ ବିଜେଡି ନେତା ମାନେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ରଖିଥିଲେ l ଏବେ ଓଡିଶାରେ ବିଜେଡି ସହ ବିଜେପିର ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହୁଏତ ଅମିତ ଶାହଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ , ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଏକାଠି ହେବେ ବିଜେଡି-ବିଜେପି ଦଳ । ୨୦୦୯ ରେ ଉଭୟଙ୍କ ମଧ୍ୟରେ ଭାଙ୍ଗିଥିଲା ମେଣ୍ଟ । ସେବେଠାରୁ ଉଭୟ ଦଳଙ୍କ ମଧ୍ୟରେ କୌଣସି ମେଣ୍ଟ ହୋଇନାହିଁ । ପ୍ରତି ନିର୍ବାଚନରେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିଲେ । ଯଦି ବିଜେଡି-ବିଜେପି ଦଳ ମଧ୍ୟରେ ମେଣ୍ଟ ହୁଏ । ତେବେ ଓଡିଶା ରାଜନୀତିରେ ପୁରୁଣା ଚିତ୍ର ଦେଖିବାକୁ ମିଳିବ ବୋଲି ସୂଚନା ମିଳୁଛି ।