ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ନାମଲେଖା ନେଇ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପୁନଶ୍ଚ ଏକ ମାର୍ଗଦର୍ଶିକା ଜାରି କରିଛି । ନାମଲେଖା ସମୟରେ ପିଲାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ୟୁଜିସି ଏହି ନୂତନ ମାର୍ଗଦର୍ଶିକା ଜାରି କରିଛି ।
ୟୁଜିସି ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନାମଲେଖାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ କଲେଜ ଲିଭିଂ ସାର୍ଟିଫିକେଟ୍ (ସିଏଲ୍ସି) ଓ ଚରିତ୍ର ପ୍ରମାଣପତ୍ର ଆଦି ପାଇଁ ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକାଳୀନ ଦ୍ୱୈତ ଡିଗ୍ରି ପାଇଁ ପିଲାଙ୍କଠାରୁ ନାନା ଡକ୍ୟୁମେଣ୍ଟ ଆଦାୟ କରୁଥିବାବେଳେ ପିଲାଙ୍କୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି । ୟୁଜିସି ଆହୁରି ମଧ୍ୟ ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ଅଧ୍ୟୟନ ବ୍ୟବସ୍ଥା ପାଇଁ ୟୁଜିସି ପକ୍ଷରୁ ବିଗତ ବର୍ଷ ଏପ୍ରିଲ୍ ୧୩ ତାରିଖରେ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା । ଉକ୍ତ ମାର୍ଗଦର୍ଶିକାକୁ ଅନୁକରଣ କରିବା ତଥା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ତ୍ୱରିତ ଆରମ୍ଭ କରିବା ଦିଗରେ ପଦକ୍ଷେପ ପାଇଁ ପରାମର୍ଶ ଦେଇଛି । ଏନେଇ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ।
ତେବେ ନୂଆ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରି ପାରିବେ । ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ଏକ ସମୟରେ ଅଧ୍ୟୟନ କରିପାରିବେ । ପିଏଚଡି ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ପାଠ୍ୟରେ ଏକା ସହ ଦୁଇଟି ଡିଗ୍ରୀରେ ନାମ ଲେଖା ଯାଇପାରିବ l ତେବେ ଦୁଇଟି ରେଗୁଲାର୍ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ । ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ । କିନ୍ତୁ ଅନ୍ଲାଇନ୍ ଓ ଦୂର ନିରନ୍ତର କ୍ଲାସ ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ । ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍ ଓ ପିଏଚ୍ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।