ମଣିପୁରରେ ଲାଗିରହିଥିବା ଗୋଷ୍ଠୀଗତ ହିଂସାକାଣ୍ଡରେ ବିଭିନ୍ନ ସମୟରେ ଅନେକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି l ତେବେ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି l ଗତ ଜୁଲାଇ ମାସରୁ ମଣିପୁରରେ ନିଖୋଜ ଥିଲେ ଦୁଇଜଣ ଛାତ୍ର l ନିଖୋଜ ଥିବା ସେହି ଦୁଇ ଛାତ୍ରଙ୍କୁ ଏବେ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି । ଉଭୟ ଛାତ୍ରଙ୍କ ମୃତଦେହର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉଭୟ ଛାତ୍ରଙ୍କ ମୃତଦେହ ମାଟିରେ ପଡ଼ିଥିବାର ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ ଦୁଇ ଛାତ୍ରଙ୍କ ମୃତଦେହ ମିଳିପାରି ନଥିବାରୁ ଉଦ୍ଧାର କରାଯାଇପାରି ନାହିଁ ।
ସୋସିଆଲ ମିଡିଆରେ ଏପରି ଭାବେ ଦୁଇ ଛାତ୍ରଙ୍କ ମୃତଦେହର ଫଟୋ ପ୍ରକାଶ ପାଇବା ପରେ ମଣିପୁର ସରକାର କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାର କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅର୍ଥାତ୍ ସିବିଆଇ ଏହି ଘଟଣାର ତଦନ୍ତ କରୁଛି । ତେଣୁ ଖୁବ ଶୀଘ୍ର ଦୋଷୀକୁ ଚିହ୍ନଟ କରି ଦଣ୍ଡ ଦିଆଯିବ ବୋଲି ଆଶା କରାଯାଉଛି l

