
ନବରଙ୍ଗପୁର: ଅନ୍ୟ ଜାତିରେ ବିବାହ ପଡିଲା ମହଙ୍ଗା । ସାମାଜିକ ବାସନ୍ଦର ଶିକାର ହେଲେ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ। ୧୨ ବର୍ଷ ପାଇଁ ନିଜ ଜାତିର ସମାଜିକ ବାସନ୍ଦର ଶିକାର ହୋଇଛନ୍ତି ପ୍ରଦୀପ ଓ ତାଙ୍କ ପୁରା ପରିବାର । ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟି, ଧାମନାଗୁଡା ଠାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ଚଳିତ ମାସ ୧୧ ତାରିଖରେ ଗୋଆ ଠାରେ କେନ୍ଦ୍ରାପଡା ଜିଲ୍ଲାର ସଙ୍ଗୀତା ସାହୁ ନାମକ ଯୁବତୀଙ୍କ ସହ ବହୁ ଆଡମ୍ବର ସହିତ ବାହା ହୋଇଛନ୍ତି। କିନ୍ତୁ ଏହି ବିବାହ ଭତରା ସମାଜ ନିୟମ ବାହାରେ ବୋଲି ଜାଣିବାକୁ ମିଳିଛି। କାରଣ ସଙ୍ଗୀତା ଅନ୍ୟ ସମାଜର ଅଟନ୍ତି। ତେଣୁ ଗୁରୁବାର ଅର୍ଥାତ ଗତକାଲି ଜିଲ୍ଲାର ଭତ୍ରା ସମାଜର ବରିଷ୍ଠ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଧାମନାଗୁଡାରେ ଥିବା ମାଁ ଦନ୍ତେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକର ଆୟୋଜନ କରାଯାଇଥିଲା।
ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ ମାଝୀ ଏବଂ ତାଙ୍କ ପିତା, ଭାଇ ଭଉଣୀ ସମେତ ସମସ୍ତ ପରିବାରକୁ ୧୨ ବର୍ଷ ପର୍ଯ୍ୟନ୍ତ ଭତରା ସମାଜରୁ ବାସନ୍ଦ କରିଥିବା ନିଷ୍ପତ୍ତି ନିଆଯାଇଥିଲା। ୧୨ ବର୍ଷ ପର୍ଯ୍ୟନ୍ତ ଭତ୍ରା ସମାଜର କୌଣସି ବ୍ୟକ୍ତି ପ୍ରଦୀପ ମାଝୀଙ୍କ ପରିବାରର ଦୁଃଖ ସୁଖରେ ସାମିଲ ହେବେ ନାହିଁ ବୋଲି କମିଟିର ଉପସଭାପତି ଗୋପାଳ ପୂଜାରୀ ଏବଂ ଝରିଗାଁ ବ୍ଲକ ଭତ୍ରା ସମାଜର ସଭାପତି ଟିକଚନ୍ଦ ମାଝୀ କହିଛନ୍ତି।