
ଭୁବନେଶ୍ଵର: ଚିନ୍ତାରେ ଟମାଟୋ ଚାଷୀ । ଚାଷ ଛାଡିବାକୁ ହେଉଛନ୍ତି ବାଧ୍ୟ । ବଢୁନି ଦର, ହତାଶ ଚାଷୀ । ୩ ଟଙ୍କାରେ କିଲେ ଟମାଟୋ । ସବୁ ପରିବା ଠୁ ତଳେ ଟମାଟୋ । ଟମାଟୋର ଅଭାବି ବିକ୍ରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି । ପାରିଶ୍ରମିକ ମିଳୁନଥିବା ଯୋଗୁଁ ହେକ୍ଟର ହେକ୍ଟର ଟମାଟୋ ସେଭଳି ଚାଷଜମିରେ ଛାଡ଼ି ପଳାଉଛନ୍ତି ଚାଷୀ । ବଜାରରେ ଟମାଟୋ କିଲୋ ପ୍ରତି ୧୦ ରୁ ୧୫ ଟଙ୍କାରେ ବିକ୍ରି ହେଉଛି, କିନ୍ତୁ ଚାଷୀମାନେ କିଲୋଗ୍ରାମ ପ୍ରତି ପାଉଛନ୍ତି ମାତ୍ର ୩ ରୁ ୫ ଟଙ୍କା ପାଉଛନ୍ତି। ଯାହାକୁ ସେମାନଙ୍କ ପାରିଶ୍ରମିକ ଠାରୁ ବହୁତ କମ୍ ।
ଧାର କରଜ କରି ଚାଷ କରିଥିଲା ଚାଷୀ । ହେଲେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ପାଇଁ କାଳ ସାଜିଛି । ଯେତିକି ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରିଥିଲେ ତାର ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି । ପରିସ୍ଥିତି ଏପରି ହୋଇଛି କିଲୋପିଛା ୨/୩ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁ ନଥିବାରୁ ଚାଷୀ ଜମିରୁ ଟମାଟୋ ତୋଳୁନାହାନ୍ତି । ଫଳରେ ଏକର ଏକର ଟମାଟୋ ଜମିରେ ପଚିଗଲାଣି । ପ୍ରତିବର୍ଷ ଟମାଟ ଚାଷୀ ହତାସ ହେଉଛନ୍ତି । ଏତେ ପରିଶ୍ରମ କରି ଏକର ଏକର ଟମାଟ ଚାଷ କରୁଛନ୍ତି । ତା ପରେ ବି ଅମଳ ଟମାଟକୁ ସାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ଗଞ୍ଜାମ ବ୍ଳକର ଡ଼ିଆଁଡ଼େଇଁ, ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଭଲ ଟମାଟୋ ଚାଷ ହୋଇଛି । ଚାଷ ଭଲ ହୋଇଥିବା ଯୋଗୁଁ ଚଳିତ ବର୍ଷ ଟମାଟୋ ବିକ୍ରି ହେଲେ ଋଣ କରିଥିବା ଚାଷୀ ପରିଷୋଧ କରିବ ବୋଲି ଭାବିଥିଲେ । କିଛି ଦିନ ପୂର୍ବରୁ ଟମାଟୋ ଅମଳ ହୋଇଥିବା ବେଳେ ୧୫ ରୁ ୨୦ ଟଙ୍କାରେ ପ୍ରଥମେ ଟମାଟୋ ବିକ୍ରି ହେଉଥିଲା । କିନ୍ତୁ ହଠାତ୍ ଟମାଟୋର ଦର ଖସି ଆସି ୨ ଟଙ୍କାରୁ ୩ ଟଙ୍କାରେ ମିଳୁଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ। ବାଧ୍ୟ ହୋଇ ଚାଷୀ କମ୍ ମୁଲ୍ୟରେ ଟମାଟୋ ବିକୁଛନ୍ତି । କିଛି ଚାଷୀ ଜମିରୁ ଟମାଟୋ ତୋଳୁନାହାନ୍ତି । ଫଳରେ ଏକର ଏକର ଟମାଟୋ ଜମିରେ ପଚିଗଲାଣି । ଅନ୍ୟପଟେ କିଛି ଚାଷୀ ଟମାଟୋ ତୋଳି ଗାଇ ଗୋରୁଙ୍କୁ ଖାଇବାକୁ ଦେଇଦେଉଥିବା ଜଣାପଡିଛି ।
ରାଜ୍ୟରେ ଶିତଳ ଭଣ୍ଡାରର ଅଭାବ କାରଣରୁ ଚାଷୀ କ୍ଷତି ସହୁଛି । ଯଦି ସରକାର ରାଜ୍ୟରେ ଶିତଳ ଭଣ୍ଡାର ଖୋଲନ୍ତେ ତେବେ ଚାଷୀ ଓ ବ୍ୟବସାୟୀ ଟମାଟ ଚାଷରୁ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି କହୁଛନ୍ତି ଚାଷୀ । ଗଞ୍ଜାମ ବ୍ଳକରେ ବହୁଳ ଭାବେ ଟମାଟୋ ସହିତ ପନିପରିବା ଚାଷ ହୋଇଥାଏ । ଏଠାରୁ ବାହାର ଜିଲ୍ଲା ଓ ପୋଡ଼ଶୀ ରାଜ୍ୟକୁ ପନିପରିବା ରପ୍ତାନୀ କରାଯାଇଥାଏ । ତେଣୁ ଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ସୁବିଧା କରାଗଲେ ଅଧିକରୁ ଅଧିକର ଚାଷୀ ପନିପରିବା ଫସଲ ପାଇଁ ଆଗ୍ରହୀ ହେବେ ବୋଲି କହିଛନ୍ତି ଚାଷୀ ।