ଭୁବନେଶ୍ଵର: କିଛିଦିନର ତଳମୁହାଁ ଟ୍ରେଣ୍ଡ ପରେ ପୁଣି ବଢ଼ିଲା ଦର । ୯୫ ହଜାର ଟଙ୍କା ଡେଇଁଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କା ରହିଛି । ଗତ ୩ ଦିନରେ ୫ ହଜାରରୁ ଅଧିକ ଟଙ୍କା ମହଙ୍ଗା ହେଲାଣି ସୁନା । ଆଜି ପୁଣି ୧୮୫୦ ଟଙ୍କା ବଢ଼ିଛି ସୁନା ଦର ।
୩ ଦିନରେ ସୁନା ୫ ହଜାର ଅଧିକ ଟଙ୍କା ମହଙ୍ଗା ହୋଇଛି । ଏପ୍ରିଲ ୪ରୁ ୮ ତାରିଖ ମଧ୍ୟରେ ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୩ ହଜାର ୩୫୦ ଟଙ୍କା କମିଥିବାବେଳେ ଗତ ୩ ଦିନରେ ଏହା ପୁଣି ୫ ହଜାରରୁ ଅଧିକ ଟଙ୍କା ବଢିଛି । ଗତ ୯ ତାରିଖରେ ୬୫୦ ଟଙ୍କା ସୁନା ଦର ବଢିଥିବା ବେଳେ ଗତକାଲି ପୁଣି ୨ ହଜାର ୭୦୦ ଟଙ୍କା ମହଙ୍ଗା ହୋଇଥିଲା । ସେହିପରି ଆଜି ପୁଣି ୧୮୫୦ ଟଙ୍କା ବଢିଛି ସୁନା ଦର ।
କେମିତି ଜାଣିବେ ସୁନାର ଶୁଦ୍ଧତା ?
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।