
ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଶ୍ରୀମନ୍ଦିରରେ ଆଜି ପୋଢୁଆଁ ହେବେ ବଡ଼ ଠାକୁର ଶ୍ରୀ ବଳଭଦ୍ର l ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର l ଉତ୍କଳର ପ୍ରତି ଓଡ଼ିଆ ଘରର ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ହଳଦୀ ପତ୍ର ପିଠା ଭୋଗ ହେବା ସହ ବଡ଼ ସନ୍ତାନଙ୍କୁ ଦୂବ , ଚାଉଳ ଦେଇ ବନ୍ଦାପନା କରାଯାଇଥାଏ। ଦେବଦେବୀଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଚଳିତ ହୋଇଥାଏ।
ଆଜି ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହଙ୍କୁ ନୂଆଲୁଗା ଲାଗି କରାଯିବା ସହ ଛେଦାପ୍ରସାଦ ଭୋଗ କରାଯିବ । ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହ ମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା ,ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି । ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ପରେ ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଥାନ୍ତି । ତତ୍ପରେ ବେଶ ସୁଦୁସୁଆର ଠା କରିବା ପରେ ତିନିବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣ ପୂଜା କରିଥାନ୍ତି। ଏହି ପୂଜା ଶେଷ ପରେ ଭିତରେ ପାଣି ପଡି ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ତିନି ବାଡରେ ମଙ୍ଗଳାର୍ପଣ ନୀତି ହେବା ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥାଏ ।
ସେପଟେ, ମହାପ୍ରଭୁଙ୍କ ପଢୁଆଁ ପାଇଁ ମାମୁଁ ଘରୁ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲା ପୋଢୁଆଁ ଭାର । ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର। ନିଆଳି ବ୍ଳକର ମାଧବାନନ୍ଦ ଜୀଉଙ୍କ ପୀଠରୁ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ ଫଳ ନେଇ ଭାର ଗତକାଲି ଶ୍ରୀକ୍ଷେତ୍ର ପହଞ୍ଚିଥିଲା । ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି ଅରୁଆ ଚାଉଳ , ବିରି , ନଡ଼ିଆ , ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , ଯାଈଫଳ , ପାନ , ଗୁଆ , ଅଳେଇଚ , ଲବଙ୍ଗ , ଗୋପାଳବଲ୍ଲଭ ପାଇଁ ବିଭିନ୍ନ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ଶ୍ରୀମାଧବଜିଉଙ୍କ ପକ୍ଷରୁ ପଢ଼ୁଆଁ କରାଯାଇଥାଏ ।