ଆମ ସମସ୍ତଙ୍କର ବ୍ୟସ୍ତ ବହୁଳ ଜୀବନ ଭିତରେ ପର୍ଯ୍ୟଟନ ସ୍ଥଳୀର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ l ଜୀବନର ଏହି ଦୌଡ଼ ଭିତରେ ସମସ୍ତେ କିଛି ସମୟ ବିରତି ଚାହାଁନ୍ତି l ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଙ୍କୁ ଭ୍ରମଣ କରି ପ୍ରକୃତି ସହିତ ସେ ସ୍ଥାନର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି l ଏହା ଦ୍ୱାରା ଶରୀର ତଥା ମାନକୁ ଶାନ୍ତି ଓ ଆରାମ ମିଳିଥାଏ l
ତେବେ ସାରା ବିଶ୍ୱରେ ଏହି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 27 ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଏ l ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନ (UNWTO) ଦ୍ୱାରା ପ୍ରଥମେ 1979 ମସିହାରେ ଆଜିର ଦିନକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ଘୋଷଣା କରାଯାଇଥିଲା l କିନ୍ତୁ ଆନୁଷ୍ଠାନିକ ଭାବେ 1980 ମସିହା ଠାରୁ ଏହାକୁ ପାଳନ କରିବା ଆରମ୍ଭ କରାଯାଇଥିଲା l

ଦେଶର ଅର୍ଥନୈତିକ ବିକାଶରେ ପର୍ଯ୍ୟଟନ ସ୍ଥାନ ଏକ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଥାଏ l ତେଣୁ ଦେଶ ବିଦେଶରେ ପର୍ଯ୍ୟଟନର ଗୁରୁତ୍ୱକୁ ପ୍ରତିପାଦନ କରିବା ଏହି ଦିବସର ମୁଖ୍ୟ ଉଦେଶ୍ୟ l ଏହାସହ ପର୍ଯ୍ୟଟନର ଗୁରୁତ୍ୱ ଏବଂ ଏହାର ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟ ବିଷୟରେ ଆନ୍ତର୍ଜାତୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ l ମିଳିତ ଜାତିସଂଘ ଅନୁଯାୟୀ ପର୍ଯ୍ୟଟନ ହେଉଛି ବିଶ୍ୱର ଅନ୍ୟତମ ପ୍ରମୁଖ ଅର୍ଥନୈତିକ କ୍ଷେତ୍ର ଯାହାକୁ ଅଣଦେଖା କରାଯାଇପାରିବ ନାହିଁ l
କରୋନା କାଳ ଠାରୁ ପର୍ଯ୍ୟଟନ କ୍ଷେତ୍ରରେ ଖୁବ ବ୍ୟାଘାତ ଦେଖା ଦେଇଛି l ତେଣୁ ଚଳିତବର୍ଷ ଏହି ଦିବସର ଗୁରୁତ୍ୱ ଆହୁରି ମଧ୍ୟ ବଢ଼ି ଯାଇଛି l ବୋହୁ ସ୍ଥାନରେ ପର୍ଯ୍ୟଟନ ସ୍ଥଳୀ ଗତ ତିନି ବର୍ଷରେ ନଷ୍ଟ ହେବାର ପରିସ୍ଥିତିକୁ ମଧ୍ୟ ଆସିଛି l ତେଣୁ ତାହାର ପୁନଃରୁଦ୍ଧାର କରିବା ଏବଂ ତାହାର ମହତ୍ୱ ଓ ତାତ୍ପର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଆଜିର ଦିବସର ମୁଖ୍ୟ ଉଦେଶ୍ୟ ହେବ ଉଚିତ l
ଚଳିତବର୍ଷ ଅର୍ଥାତ 2023 ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ହେଉଛି “Tourism and Green Investment” ଅର୍ଥାତ “ପର୍ଯ୍ୟଟନ ଏବଂ ସବୁଜ ପୁଞ୍ଜି ବିନିଯୋଗ” l ଯାହାକି ସ୍ଥାୟୀ ବିକାଶ ଲକ୍ଷ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଦର୍ଶାଉଛି l