
ଶାନ୍ତି, ସହାନୁଭୂତି ଓ ଏକତା ହେଉଛି ସଫଳତାର ଚାବିକାଠି l ଅଶାନ୍ତ ମନରେ କିମ୍ବା ଅଶାନ୍ତ ପରିସ୍ଥିତିରେ କେବେ ବି କୌଣସି ଜିନିଷ ସଫଳତାର ସହ ହୋଇପାରେ ନାହିଁ l ସେହିପରି ଆନ୍ତର୍ଜାତୀୟ ସ୍ତରରେ ବି ଦେଶ ଦେଶ ମଧ୍ୟରେ ଶାନ୍ତି ବିରାଜମାନ କଲେ ହିଁ ରାଷ୍ଟ୍ରଗୁଡ଼ିକର ବିକାଶ ସଫଳ ହୋଇପାରିବ ।
ତେଣୁ ଏହି ଶାନ୍ତିର ଗୁରୁତ୍ୱକୁ ଉପଲବ୍ଧି କରି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖ ଦିନ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଉଛି l ସାରା ବିଶ୍ବରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଅହିଂସାର ପ୍ରସାର ପ୍ରଚାର ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାଆରମ୍ଭ କରାଯାଇଥିଲା ।
ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷରେ ପ୍ରଥମେ ୧୯୮୧ ମସିହାରେ ମିଳିତ ଜାତିସଂଘ ‘ଆନ୍ତର୍ଜାତିକ ଶାନ୍ତି ଦିବସ’ ପାଳନ କରିବା ପାଇଁ ଘୋଷଣା କରିଥିଲା । ଏହା ପରେ ୧୯୮୨ରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ କରାଗଲା । କିନ୍ତୁ ସେତେବେଳେ ସେପ୍ଟେମ୍ବର ୨୧କୁ ଶାନ୍ତି ଦିବସ ରୂପେ ନୁହେଁ ବରଂ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବରେ ପାଳନ କରାଯାଉଥିଲା l ୧୯୮୨ରୁ ୨୦୦୧ ପର୍ଯ୍ୟନ୍ତ ଏପରି ଭାବେ ତୃତୀୟ ମଙ୍ଗଳବାରକୁ ଶାନ୍ତି ଦିବସ ରୂପେ ପାଳନ କରାଯିବା ପରେ ୨୦୦୨ରୁ ଏଥିରେ ପରିବର୍ତ୍ତନ ଅଣାଗଲା l

୨୦୦୨ ମସିହାଠାରୁ ସେପ୍ଟେମ୍ବର ୨୧କୁ ‘ଆନ୍ତର୍ଜାତିକ ଶାନ୍ତି ଦିବସ’ ଭାବେ ପାଳନ କରାଯାଉଛି । ଏହି ଦିନରେ ମିଳିତ ଜାତିସଂଘର ମୁଖ୍ୟାଳୟ ନ୍ୟୁୟର୍କରେ ଶାନ୍ତିର ଘଣ୍ଟା ବଜାଯାଏ । ତେଣୁ ଗୋଟିଏ ଦିନକୁ ଶାନ୍ତି ନିମନ୍ତେ ଉତ୍ସର୍ଗୀକୃତ କରିବା ପାଇଁ ଏହି ୨୧ ସେପ୍ଟେମ୍ବରକୁ ସମସ୍ତ ଦେଶ ଅନ୍ତର୍ଜାତୀୟ ଶାନ୍ତି ଦିବସ ରୂପେ ପାଳନ କରୁଛନ୍ତି l
ବର୍ତ୍ତମାନ ପରିସ୍ଥିତିକୁ ଯଦି ଆମେ ଲକ୍ଷ କରିବା ତେବେ ସମଗ୍ର ବିଶ୍ୱରେ ଅଶାନ୍ତ ଓ ଅରାଜକତାର ବାତାବରଣ ଦେଖାଯିବା ସହ ସାମ୍ପ୍ରଦାୟିକ ହିଂସା ଭଳି ଘଟଣା ଦେଖା ଯାଉଥିବାରୁ ଏହି ଦିବସ ପାଳନର ଗୁରୁତ୍ୱ ବଢ଼ିଯାଇଛି । ଦେଶ ଦେଶ ଭିତରେ ତିକ୍ତତା ବଢ଼ିବାରେ ଲାଗିଛି l କିଏ କାହା ଉପରେ ବିସ୍ଫୋରଣ କରିବାକୁ ଚାହିଁଲାଣି ତ କିଏ ଆତଙ୍କବାଦର ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କଲାଣି l ଏହି ଅଶାନ୍ତ ପରିସ୍ଥିତିକୁ ଦୂରେଇବା ସହ ସମସ୍ତଙ୍କୁ ସଚେତନ କରିବା ହେଉଛି ଏହି ଦିବସର ମୁଳ ଲକ୍ଷ l ଧଳା କପୋତକୁ ଶାନ୍ତିର ଦୂତ ଭାବେ ବିଚାର କରାଯାଏ । ତେଣୁ ଏହି ଶାନ୍ତି ଦିବସ ପାଳନ ଉପଲକ୍ଷେ ଧଳା କପୋତ ଉଡ଼ାଯାଇ ବିଶ୍ଵବାସୀଙ୍କୁ ଶାନ୍ତିର ବାର୍ତ୍ତା ପ୍ରଦାନ କରାଯିବାର ପରମ୍ପରା ରହିଛି ।
ପ୍ରତ୍ୟୋକ ବର୍ଷ ଏକ ଥିମକୁ ନେଇ ଏହି ଦିବସ ପାଳନ କରାଯାଏ l ଚଳିତ ବର୍ଷ ଅର୍ଥାତ 2023 ରେ ଏହାର ଥିମ ହେଉଛି “Action for peace : our ambition for the #Globalgoals” ଅର୍ଥାତ ବିଶ୍ୱ ଶାନ୍ତିର ଅଭିଳାଷ ନେଇ ଶାନ୍ତି ନିମନ୍ତେ କାର୍ଯ୍ୟରତ ହେବା l
