
ମଣିଷର ଭାବ ପ୍ରକାଶ ପାଇଁ ଶବ୍ଦଠୁ ବି ସଙ୍କେତ ଅଧିକ ମହତ୍ତ୍ୱପୂର୍ଣ୍ଣ । କେବଳ ପାଟିରୁ ଶବ୍ଦ ବାହାରିଗଲେ ଭାବ ପ୍ରକାଶ ହୋଇଯାଏ ନାହିଁ l ଶବ୍ଦ ସହିତ ସଂକେତର ସଂଯୋଗରେ ହିଁ ଭାବ ପରିପୂର୍ଣ ହୋଇଥାଏ l ପଦେ କଥାକୁ କହିବାକୁ ଆମେ କେତେକ ସଙ୍କେତ ବ୍ୟବହାର କରିଥାଉ । ସାଧାରଣ ମଣିଷଙ୍କ ପାଇଁ ତ ଶବ୍ଦ ସହ ସଂକେତ ଦୁଇଟି ଥାଏ ଭାବ ପ୍ରକାଶ ପାଇଁ ହେଲେ ଏହି ସଙ୍କେତ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଗୁରୁତ୍ୱକୁ ବିଚାର କରି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ୱର 23କୁ ଅନ୍ତର୍ଜାତୀୟ ସାଙ୍କେତିକ ଦିବସ ରୂପେ ପାଳନ କରାଯାଉଛି ।
ଶରୀରର କିଛି ଅଙ୍ଗଭଙ୍ଗୀ, ଯାହା କିଛି ଭାଷା ବା ଶବ୍ଦକୁ ବୁଝେଇବାରେ ସାହାଯ୍ୟ କରେ ତାହାକୁ ସାଙ୍କେତିକ ଭାଷା କୁହାଯାଏ l ସରଳ ଭାଷାରେ କହିବାକୁ ଗଲେ ଅଙ୍ଗଭଙ୍ଗୀ ମାଧ୍ୟମରେ ଆମେ ଯେଉଁ ଯୋଗାଯୋଗ କରୁ ତଥା ଭାବ ପ୍ରକାଶ କରୁ , ତାହା ହେଉଛି ସାଙ୍କେତିକ ଭାଷା । ଯେଉଁମାନେ କଥାବାର୍ତ୍ତା କରିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହାଁ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
23 ସେପ୍ଟେମ୍ବର 2018ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଉପରେ ଏକ ଦିବସ ପାଳନ ପାଇଁ ଘୋଷଣା କରିଥିଲା । 2018ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରାଯାଇଥିଲା । ସେବେଠୁ ଏଯାଏଁ ପ୍ରତ୍ୟୋକ ବର୍ଷ ସେପ୍ଟେମ୍ବର 23 କୁ ସାଂକେତିକ ଭାଷା ଦିବସ ରୂପେ ପାଳନ କରାଯାଉଛି l
ମୁକ ଓ ବଧିର ଲୋକମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ସାଧାରଣ ଲୋକେ ଏହି ସାଂକେତିକ ଭାଷାର ମହତ୍ୱ ବୁଝିପାରନ୍ତି ନାହିଁ l ବିଶ୍ୱର ସମସ୍ତ ଲୋକ ଏହି ସାଙ୍କେତିକ ଭାଷା ବିଷୟରେ ସଚେତନ ହେବା ଉଚିତ ଏବଂ ଏହାର ଗୁରୁତ୍ୱକୁ ମଧ୍ୟ ବୁଝିବା ଉଚିତ୍ । ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ 23 ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରାଯାଏ ।
ଏହି ଦିନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ 7 କୋଟିରୁ ଅଧିକ ଲୋକ ବଧିର ବର୍ଗର ଅଛନ୍ତି । ତେଣୁ ସେମାନଙ୍କୁ ପ୍ରୋତ୍ସାହିତ ଏବଂ ଯୋଗଯୋଗାରେ ସହଯୋଗ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରତିବର୍ଷ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଏକ ଥିମ୍ କୁ ନେଇ ପାଳନ କରାଯାଏ । ଚଳିତ ବର୍ଷ ଥିମ ହେଉଛି “A World Where Deaf People Everywhere Can Sign Anywhere” ଅର୍ଥାତ୍ “ଏକ ବିଶ୍ୱ ଯେଉଁଠାରେ ବଧିରମାନେ ଯେକୌଣସି ବ୍ୟକ୍ତିଙ୍କ ସହ, ଯେକୌଣସି ସ୍ଥାନରେ ସଙ୍କେତ ମାଧ୍ୟମରେ ଯୋଗାଯୋଗ କରିପାରିବେ।”