Site icon UTKAL PRATIDIN

ଆଜି ଭାରତ-ଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦

2

ଲଡେରହିଲ : ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶନିବାର ଆମେରିକାର ଫ୍ଲୋରିଡାସ୍ଥିିତ ଲଡେରହିଲରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍‌ ୨-୧ରେ ଆଗୁଆ ରହିଥିବାରୁ ଶୃଙ୍ଖଳା ବିଜୟ ଲକ୍ଷ୍ୟ ରଖିଥିବାବେଳେ ଭାରତ ମ୍ୟାଚକୁ ଜିତି ବରାବର ସ୍ଥିତିକୁ ଆଣିବାକୁ ଉଦ୍ୟମ କରିବ। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିନା ଖେଳୁଥିବା ଭାରତ ପ୍ରଥମ ଦୁଇ ମ୍ୟାଚରେ ପରାଜିତ ହେବା ପରେ ୩ୟ ମ୍ୟାଚକୁ ଜିତି ପ୍ରତ୍ୟାବର୍ତ୍ତନ କରିଛି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚ ୪ରନରେ ଓ ଦ୍ବିତୀୟ ମ୍ୟାଚରେ ୨ ୱିକେଟରେ ପରାସ୍ତ ହୋଇଥିଲା। ଭାରତ ୩ୟ ମ୍ୟାଚକୁ ୭ ୱିକେଟରେ ଜିତିବା ସହିତ ଶୃଙ୍ଖଳାକୁ ଜୀବିତ ରଖିଛି। ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସୂର୍ଯ୍ୟକୁମାର ୮୩ ଓ ତିଳକ ୪୯ରନ କରି ଅପରାଜିତ ରହିଥିଲେ। ଯୁବ ଓପନର ଯଶସ୍ବୀ ଜୟସୱାଲ ଟ୍ବେଣ୍ଟି୨୦ ପଦାର୍ପଣ କରିବା ସହିତ ଇଶାନ କିଷନଙ୍କ ସ୍ଥାନରେ ଓପନିଂ କରିଥିଲେ। ଜୟସୱାଲ ମାତ୍ର ୧ରନ କରି ଆଉଟ୍‌ ହୋଇଥିଲେ। ୪ର୍ଥ ଟ୍ବେଣ୍ଟି-୨୦ରେ ଜୟସୱାଲଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଅନ୍ୟତମ ଓପନର ଶୁବମାନ ଗିଲ୍‌ ୩ଟି ମ୍ୟାଚରୁ ମାତ୍ର ୧୬ରନ କରିଛନ୍ତି। ଗିଲ୍‌ଙ୍କ ଖରାପ ଫର୍ମ ସତ୍ତ୍ବେ ବାଦ୍‌ ପଡିବାର ସମ୍ଭାବନା କମ୍‌ ରହିଛି। ୱିକେଟରକ୍ଷକ ଭାବେ ସଞ୍ଜୁ ସାମସନଙ୍କ ସ୍ଥାନରେ ଇଶାନ ସାମିଲ ହେବାର ସମ୍ଭାବନା ରହିଛି। ସୂର୍ଯ୍ୟକୁମାର ପ୍ରଥମ ଦୁଇ ମ୍ୟାଚରେ ବିଫଳ ହେବା ପରେ ୩ୟ ମ୍ୟାଚରେ ରନ କରିବା ଭାରତର ବ୍ୟାଟିଂକୁ ଶକ୍ତ କରିଛି। ତିଳକ ମଧ୍ୟ ୧୩୯ରନ କରିଛନ୍ତି। ବ୍ୟାଟିଂ ବିଭାଗରେ ଭାରତର ସେଭଳି କିଛି ପରିବର୍ତ୍ତନ ନେଇ ଲକ୍ଷ୍ୟ କରାଯାଉନାହିଁ। ବୋଲିଂ ବିଭାଗରେ ଅର୍ଶଦୀପ୍‌ ସିଂହ, ଯୁଜୁବେନ୍ଦ୍ର ଚହଲ, କୁଳଦୀପ୍‌ ଯାଦବ ଖେଳିବା ନିଶ୍ଚିତ ଥିବାବେଳେ ମୁକେଶ କୁମାରଙ୍କ ସ୍ଥାନରେ ଅଭେଶ ଖାନ କିମ୍ବା ଉମ୍ରାନ ମଲିକଙ୍କୁ ସୁଯୋଗ ମିଳିପାରେ। ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ଭୂମିକା ତୁଲାଇବେ। ଭାରତ କୌଣସି ମତେ ମ୍ୟାଚକୁ ଜିତି ଶୃଙ୍ଖଳା ବରାବର କରିବାକୁ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ରୋଭମାନ ପାୱେଲଙ୍କ ନେତୃତ୍ବାଧିନ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦୁଇ ମ୍ୟାଚ ଅପେକ୍ଷା ୩ୟ ମ୍ୟାଚରେ ବୋଲିଂ ବିଫଳତା ପାଇଁ ପରାଜୟ ବରଣ କରିଥିଲା।

ବ୍ୟାଟିଂରେ କିଙ୍ଗ, କାଏଲ ମେୟର୍ସ,ଜନସନ ଚାର୍ଲସ, ନିକୋଲାସ ପୁରନ,ସିମରନ ହେତମେୟାର ପ୍ରମୁଖ ରନ କରୁଛନ୍ତି। ପୁରନ, ରୋଭମାନ ପାୱେଲ, କିଙ୍ଗ, ମେୟର୍ସ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ପୁରନ ୩ଟି ମ୍ୟାଚରୁ ୧୨୮ରନ କରିଛନ୍ତି। ବୋଲିଂରେ ଓବେଡ ମ୍ୟାକଏ, ଅକେଲ ହୋସନ, ଆଲଜାରି ଜୋଶେଫ, ରୋଷ୍ଟନ ଚେଜ୍‌, ରୋମାରିଓ ସେଫର୍ଡ ପ୍ରମୁଖ ରହିଛନ୍ତି। ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରୁଥିବା ୱେଷ୍ଟଇଣ୍ଡିଜ୍‌ ୪ର୍ଥ ଟ୍ବେଣ୍ଟି୨୦କୁ ଜିତି ଶୃଙ୍ଖଳା ବିଜୟର ଲକ୍ଷ୍ୟ ରଖିଛି। ଲଡେରହିଲର ପିଚ୍‌ ଇତିହାସ କହୁଛି ଏହା ପ୍ରାରମ୍ଭରୁ ବ୍ୟାଟ୍‌ସମ୍ୟାନଙ୍କୁ ସୁହାଇଥାଏ। ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୩ଟି ମ୍ୟାଚରୁ ୧୧ଟିରେ ବିଜୟ ହାସଲ କରିଛି। ଏହି ଦୃଷ୍ଟିରୁ ଟସ୍‌ ମଧ୍ୟ ଅନ୍ୟତମ ଭୂମିକା ଗ୍ରହଣ କରିବା ଆଶା କରାଯାଉଛି।

Exit mobile version