ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ଦୁଇଦିନ କାଳବୈଶାଖୀ ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ପବନ ହେବାର ସମ୍ଭାବନା ରହିଛି। ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ମଧ୍ୟ କମିବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବାଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ଅପରପକ୍ଷେ କାଳବୈଶାଖୀ ପ୍ରଭାବରେ ଗୁରୁବାର ସଂଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ବିପୁଳ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବର୍ଷା ସାଙ୍ଗକୁ କୁଆ ପଥର ମାଡ ସହ ବିଭିନ୍ନ ସ୍ଥାନରେ ଗଛପତ୍ର ଭାଙ୍ଗିଥିଲା । କେଉଁଠି ଘର ଆଜବେଷ୍ଟସ୍ ଛାତ ଭାଙ୍ଗିଛି ତ’ ଆଉ କେଉଁଠି ଗାଡି କାଚ ଭାଙ୍ଗି ଚୁରମାର ହୋଇଯାଇଛି । ବଡ ବଡ ଗଛ ମଧ୍ୟ କିଛି ସମୟ ମଧ୍ୟରେ ଧରାଶାୟୀ ହୋଇଯାଇଛି । ପ୍ରାୟ ୧ ଘଣ୍ଟା ଧରି ପ୍ରବଳ କୁଆପଥର ମାଡ ହୋଇଥିଲା । ୧୦୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ଓଜନର କୁଆ ପଥର ପଡିବା ଯୋଗୁଁ ରାସ୍ତା କଡରେ ଥିବା ବାଇକ ଓ ଚାରି ଚକିଆ ଯାନ ଗୁଡିକର ମିରର ଠାରୁ ଆରମ୍ଭ କରି ସାମ୍ନା ପଟ ଓ ପଛପଟ ଗ୍ଲାସ ଗୁଡିକ ଭାଙ୍ଗିଯାଇଛି । ରବି ଧାନ ଫସଲ,ପନିପରିବା କୁଆ ପଥର ମାଡରେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି ।

