ଭୁବନେଶ୍ୱର : ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିର୍ଦେଶ କ୍ରମେ ବିଧାନସଭା ଗୃହ ବିବରଣୀରୁ ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦକୁ ହଟା ଯାଇଛି । ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି । ଗତ ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଗୃହରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଗଣ୍ଡଗୋଳ ଚାଲିଛି l ଏହି ପରିପ୍ରେକ୍ଷୀରେ ଆଜି ବାଚସ୍ପତି ଏପରି ଏକ ନିଷ୍ପତି ଶୁଣେଇଛନ୍ତି l
ସୂଚନା ଅନୁଯାୟୀ ଗତ ୨୮ ତାରିଖ ଦିନ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ବିଧାନସଭା ଗୃହରେ ଏହି ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବ୍ୟବହାର କରିଥିଲେ ନୟାଗଡ ବିଧାୟକ ଅରୁଣ ସାହୁ । ତେଣୁ ଏସବୁକୁ ଆଖିଆଗରେ ରଖି ଆଜି ବିଧାନସଭା ଗୃହ ବିବରଣୀରୁ ଏହି ଶବ୍ଦକୁ ବାଦ୍ ଦେବାକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଘୋଷଣା କରିଛନ୍ତି l
ଅନ୍ୟପଟେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବେ ପ୍ରତିକ୍ରିୟା ରଖିଛନ୍ତି । ଏହି ଶବ୍ଦକୁ ତାଲିକାରୁ ବାଦ ଦେଇଥିବାରୁ ସେ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହା ସହ ସେ କହିଛନ୍ତି କି କେବଳ ଏହି ଶବ୍ଦ ହଟେଇବା ଯଥେଷ୍ଟ ନୁହେଁ ବରଂ ନୟାଗଡ ବିଧାୟକ ନିଜ ଭୁଲ ପାଇଁ କ୍ଷମା ମାଗିବା ଆବଶ୍ୟକ । ଏଥି ସହିତ ନିଲମ୍ବିତ ହୋଇଥିବା ଦୁଇ ବିଧାୟକଙ୍କୁ କ୍ଷମା କରି ତାଙ୍କ ଉପରୁ ନିଲମ୍ବନ ଉଠେଇବାକୁ ମଧ୍ୟ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

